STORYMIRROR

Hitendra Mohanta

Tragedy

3  

Hitendra Mohanta

Tragedy

ସାବିତ୍ରୀ

ସାବିତ୍ରୀ

2 mins
200

ପ୍ରେମର ଦର୍ପଣରେ ସକାଳୁ ସକାଳୁ

ନିରେଖିଲି ସାବିତ୍ରୀର ପ୍ରତିବିମ୍ବ

ସାମ୍ନାରେ ଉଦିତ ରବିର ସୁନେଲି ଝଲକ

ପ୍ରଚ୍ଛଦରେ ଚନ୍ଦ୍ରମୁଖୀର ଗୋଲାପି ଚମକ

ସଜାଡୁଥିଲା ପ୍ରୀତିର ଅର୍ଘ୍ୟ ଥାଳି

ଆକାଂକ୍ଷାର ସମର୍ପଣରେ ଉଛୁଳି

ମୂରଲୀ ସୁରରେ ଆତ୍ମବିଭୋର

ଯେମିତିକା ଯମୁନା ତଟ କଦମ୍ବ !

ପରଖିଲା ଫୁଲ ଦୀପ ଚନ୍ଦନକୁ

ପୂଜା ଭକ୍ତିର ନୈବେଦ୍ୟ ମେଲି

ଅଲକ୍ଷ୍ୟରେ ଜାଣତରେ ମାପିନେଲା

ଥୁଆ ଫଳମୂଳକୁ ତଉଲି ।

ମନ ଊଣା ହେଲା ତେବେ

ଛିଣ୍ଡା ପତ୍ର ମିଳେ ଆମ୍ବ ଡାଳେ

ୟାକୁ ଚଢାଇଲେ କିବା ଲମ୍ବା ହେବ

ସତ୍ୟବାନର ଆୟୂଷ

ଛିଣ୍ଡା ପତ୍ର ପରି ଛିଣ୍ଡି ଯିବ ଯେ ବୟସ

ଲୋଡା ଅଛିଣ୍ଡାର ପଞ୍ଚପତ୍ରୀ ଅ‍ାମ୍ବ ଡାଳ

ଆଣ ବେଗେ କା ତୋଟାରୁ କଳା କଉଶଳେ ।

ଅଡୁଆରେ ସତ୍ୟବାନ କାନମୁଣ୍ଡ ଆଉଁସିକି

ଅନିଚ୍ଛାରେ ହେଲା ତୋଟାମୁହାଁ

ଯା ପାଇଁ କଦଳୀ ସିଏ ହିଁ ବିକାଳି

କି ବିଚିତ୍ର ସାବିତ୍ରୀର ଓଷା ଭଲା

ପଚାରିବି ଯମକୁ ମୁଁ ଯେବେ ଦେଖାଚାହାଁ ।

ତୋଟାରୁ ସେ ଡାଳ ନେଇ 

ଫେରୁଥିଲି ମନ୍ଦିର ରାସ୍ତାରେ

ଥୁରୁ ଥୁରୁ ଚାଲିଥିଲେ ବୟସ୍କ ଦମ୍ପତ୍ତି

ସାବିତ୍ରୀ ଭୋଗ ଚଢାଇ ଫେରୁଥିଲେ

ବୃଦ୍ଧ ପତି ପତ୍ନୀ ସାହାରାରେ ।

ଏ ବୟସେ ସାବିତ୍ରୀ ବ୍ରତକୁ ଦେଖି

ମନେ ମନେ କଲି ମନସ୍ତାପ

ନିନ୍ଦିଲି ନିଜକୁ ମୁହିଁ ସାବିତ୍ରୀ ବ୍ରତରେ ପରା

ଅବକ୍ଷୟ ଯେତେ ପାପତାପ ।

ଆବେଗରେ ପଚାରିଲି ବୁଢୀ ମାଉସୀକୁ

କେତେ ଆୟୂଷ ମାଗିଲ

ନିଜ ସତ୍ୟବାନ ପାଇଁ କଳାଠାକୁରଙ୍କୁ ।

ମୁରୁକି ହସିକି ବୁଢୀ ସାବିତ୍ରୀ କହିଲା

ମୋର ସତ୍ୟବାନ ଦେହେ ନାହିଁ ଜମା ବଳ

ମୁହିଁ ତାର ଶେଷ ସାହା ଡାଳ ପତ୍ର ମୂଳ

ଅଧିକା ଆୟୂରେ ତାର କିବା ପ୍ରୟୋଜନ

ମୋ ବିହୁନେ ନାହିଁ ତାର ଗତି ଚଳାଚଳ ।

ଚକିତ ହୋଇଣ ମୁହିଁ ପଚାରିଲି ପୁଣି

ତାହେଲେ ନିଶ୍ଚେ ଯେ ବର ମାଗିଥିବ

ସୁସ୍ଥ ଆଉ ନିରାମୟ ଜୀବନ ଚଳଣି ।

ଭାବବିହ୍ୱୋଳ ମନରେ 

ସେ ମାଉସୀ କହିଲା ଏଥର

ଗୋଟେ ବୋଲି ପୁଅ ଆମ

ବିଦେଶରେ ଚାକିରି ତାହାର

କର୍ମବ୍ୟସ୍ତତାରେ ଛନ୍ଦି ସମୟ ପାଏନା

ଆମ ସହ କଥାବାର୍ତ୍ତା ଟିକିଏ ହେବାର

ଛୁଟି ବି କାଳେ ମିଳେନା

ବର୍ଷ ବର୍ଷ ମାଡି ନାହିଁ ଭିଟାମାଟି ଘର

ତୋଳିଛି ବିଦେଶେ କୋଠା

ବୋହୁ ଆଉ ନାତି ସଙ୍ଗେ ସୁଖର ସଂସାର

କୋହେ ଆଉ ମୋହେ ଅବା ବୋହିଗଲା

ସତ୍ୟବାନ ସାବିତ୍ରୀର ଲୋତକର ଝର ।

ପଣତରେ ଚାରିଆଖି ଲୁହ ପୋଛି କହିଲ‍ା ପୁଅରେ

ମଥାରେ ସିନ୍ଦୁର ଥିବ, ହାତରେ ବି ଶଙ୍ଖା ଥିବ

ଅହି ସୁଲକ୍ଷଣୀ ହେବି, ସଧବା ଚିହ୍ନ ରହିବ

କେମିତି ବା ସହିବ ସାବିତ୍ରୀ, ଜାଣିଶୁଣି ମୋର ଅନ୍ତେ

ସତ୍ୟବାନ ଘାଣ୍ଟିହେବ ବୃଦ୍ଧାଶ୍ରମେ ମରଣ ସୂଅରେ

କରୁଣ ଏ ବ୍ୟଥା ଶୁଣି ପଚାରିଲି ବୃଦ୍ଧା ସାବିତ୍ରୀକୁ

ନିଶ୍ଚୟ ତାହେଲେ ବର ଭିକ୍ଷା କରିଥିବ

ସପରିବାର ପୁତ୍ରର ଭିଟାମାଟି ଘର ବାହୁଡାକୁ ।

ମୁଣ୍ଡ ହଲାଇକି ମନା କଲା ଏଥରକ ପୁଣି

କହିଲା ନାହିଁରେ ପୁଅ

ଲୋଡାନାହିଁ ମନ ମାନ ଅବା ଧନଜନ

ଅତୁଟ ସମ୍ପର୍କ ଆମ , ପ୍ରେମ ଅନାବିଳ

ମୁଁ ତାଙ୍କ ସାବିତ୍ରୀ ଆଉ ସେ ମୋ ସତ୍ୟବାନ ।

ବର ମୁଁ ମାଗିଛି ଆଜି

ବାକିଥିବା ଆୟୂଷକୁ ପୁଅଠାରେ ଗୁଣି

ବେଳୁଁବେଳ ନେଇଯାଅ 

ସତ୍ୟବାନ ଜୀବନକୁ ଯମରାଜ ଟାଣି ।

ହତବାକ ହେଲି ମୁହିଁ ଶୁଣି ତାର ବର

ବାଷ୍ପରୁଦ୍ଧ କଣ୍ଠ ହେଲା ଅଟକିଲା ସ୍ୱର

ବିଦାୟ ଅଭିବାଦନେ ହେଲି ନମସ୍କାର

ପାଞ୍ଚପତ୍ରୀ ଡାଳ ଧରି ଫେରିଲି ମୁଁ ଘର ।

ବ୍ରତର ଜଣାଣ ବୋଲି ମଥାରେ ଓଢଣା ଟାଣି

ସାବିତ୍ରୀ ମୁଣ୍ଡ ଝୁଙ୍କାଇ ଛୁଇଁଲା ଚରଣ

ଅନୁରାଗେ ମନାସିଲି ଘରଣୀ ମୋ ସବୁଦିନ

ଆଜିର ସାବିତ୍ରୀ ଭଳି ରହୁ ପ୍ରତିକ୍ଷଣ ।

ବ୍ରତ ଉପାସନା ସାରି କାନ୍ଧରେ ବ୍ୟାଗ ଝୁଲାଇ

ଗାଡି ଷ୍ଟାର୍ଟ କଲି ଅଫିସ ଆଡକୁ

ଅଗୋଚରେ ଦର୍ପଣରେ ଦେଖିଲି ପଛକୁ

ମେଲାଣି ଦେଲା ସାବିତ୍ରୀ ପଛରୁ ହାତ ହଲାଇ

ମୁହଁର ରୂପ ଲାବଣ୍ୟ ଜଳୁଥିଲା ଈର୍ଷ୍ୟାରେ 

ଚମକୁଥିବା ସାବିତ୍ରୀ ଗଳାର ସୁନାହାରରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy