STORYMIRROR

Prasanna Kumar Madala

Abstract Others

3  

Prasanna Kumar Madala

Abstract Others

ମହାକାଳୀ ବନ୍ଦନା

ମହାକାଳୀ ବନ୍ଦନା

1 min
27K


ଆୟୁ ବଳ ବୁଦ୍ଧି ଯଶ ସିଦ୍ଧି ରିଦ୍ଧି ରୂପ ରସ

ସବୁ ତ ଜନନୀ ତୁମ ଆଶିଷ ଧାରା

ଜନ୍ମଦାତ୍ରୀ ବସୁନ୍ଧରା ଦୁର୍ଗତିନାଶିନୀ ପରା

ତିନି ରୂପେ ପ୍ରକାଶିଛ ଜଗତ ସାରା

ମହାକାଳୀ ଖର୍ପରହାରା

ଉଶ୍ଵାସ କର ଧରଣୀ କଳୁଷ ଭାରା ।।


ଶରତ ପ୍ରଭାତେ ଉଇଁ ତୁମ ପାଦରେଣୁ ଛୁଇଁ

ବନ୍ଦନା କରନ୍ତି ମାତ ନିତି ସବିତା

ମଧୁର ଶୋଭନ ଚାଖି ପ୍ରକୃତିରେ ଲାଖେ ଆଖି

କବି ପ୍ରାଣେ ଜାଗି ଉଠେ ଗୀତିକବିତା

ନିର୍ଝରିଣୀ ସମ ସ୍ରବିତା

କୋଟି ଜନ ମନୋହାରୀ ଭାବେ ଦ୍ରବିତା ।।


ଦୁଇ ପାର୍ଶ୍ଵେ ଧନ ଜ୍ଞାନ ପାଇଛନ୍ତି ଦିବ୍ୟ ସ୍ଥାନ

ସ୍ଵାମୀଙ୍କ ସମ୍ମାନେ କ୍ଷଣେ ଲଜ୍ଜିତା ହେଉ

ପରିଜନଙ୍କ ଗହଣେ ସର୍ବଂସହା ଶକ୍ତି ପଣେ

ପରିହରି ଉଗ୍ର ରୂପ କଲ୍ୟାଣ ଦେଉ

ରକ୍ତବୀଜ ଦୂଷଣ କେଉଁ

ସମର୍ଥ ମା' ନିମିଷକେ ପ୍ରାଣ ତା' ନେଉ ।।


ଜ୍ଞାନର ଦୀପକ ଜାଳି ଆସିଅଛ ମହାକାଳୀ

ଅଜ୍ଞାନ ରୂପକ ତମ ସଂହାର କରି

ମାତୃ ଜାତି ଉଦ୍ଧାରଣେ ବିନତି ତୁମ୍ଭ ଚରଣେ

ରାକ୍ଷସ ପ୍ରକୃତି ଜନ ମାନସୁ ହରି

ଗର୍ଭେ କନ୍ୟାଭୃଣକୁ ଧରି

ନାରୀ ଗରିମା ମହୀରେ ଦିଅ ଗୋ ଭରି ।।


ପକାଅ ମା' ଶୁଭ ଦୃଷ୍ଟି ଅମୃତମୟୀ ଏ ସୃଷ୍ଟି

ସୁଜଳା ସୁଫଳା ଥାଉ ଧରଣୀ ତନୁ

ପ୍ରତ୍ୟକ୍ଷେ ସେ ଦିବ୍ୟରୂପ ଅନ୍ତରର ପୂଜା ଧୂପ

ଭକ୍ତିରସେ ଥାଉ ସଦା ନଯାଉ ମନୁ

ବସୁଧା କୁଟୁମ୍ବ ଏ ବନୁ

ଜୀବ ହତ୍ୟା ନ କରୁ କେ ଉଠାଇ ଧନୁ ।।


ଦେଶର ସୀମାନ୍ତେ ଅରି ଅନାଇଛି ଶସ୍ତ୍ର ଧରି

ଜାଗୃତ ଅଛି ଗୋ ମାତ ବିନାଶ ପାଇଁ

ପ୍ରହରଣ ବଜ୍ର କରି ଶୌର୍ଯ୍ୟକୁ ମା' ଦେବ ଭରି

ରକ୍ଷା କରୁଥିବ ନିଜେ ଆଗରେ ଥାଇ

ପ୍ରଚଣ୍ଡ ଦର୍ପରେ ଗୋ ଧାଇଁ

ନିମିଷକେ ରଣାଙ୍ଗନେ ଉଦ୍ଧାର ଯାଇ ।।


ଅଜ୍ଞାନ ତମ ନାଶିନୀ ମାତା ଶଙ୍କରୀ ତାରିଣୀ

ତୁମ୍ଭ ପୟର ରଜର ପାଇ ପରଶ

ସର୍ବ ଦୁଃଖ ବିନାଶିନୀ ଜୀବନ ଶକ୍ତିଦାୟିନୀ

ସନ୍ତାନ ସନ୍ତତି ଆମ୍ଭେ ଚିତ୍ତେ ହରଷ

ବାତ୍ସଲ୍ୟ ମମତା ସରସ

କୃପାଦାନେ ଆସୁଥାଅ ପ୍ରତି ବରଷ ।।


ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in

Similar oriya poem from Abstract