ତୁମେ ଦୁଇ ଗୋଟି ହୀରା
ତୁମେ ଦୁଇ ଗୋଟି ହୀରା
କୃଷ୍ଣ ,ବଳରାମ ଅଝଟ ହୁଅନା
ଶୁଣାଉଛି ଏକ କଥା ,
ସେ କଥା ଶୁଣିଲେ ଦୂର ହୋଇଯିବ
ତୁମ ମନ ଆବିଳତା ।
ତ୍ରେତୟା ଯୁଗରେ ଦଶରଥଙ୍କର
ଚାରିଗୋଟି ପୁଅ ଥିଲେ ,
ରାମ,ଲକ୍ଷ୍ମଣ ଯେ ଭରତ, ଶତ୍ରୁଘ୍ନ
ଅତି ସୁକୁମାର ପିଲେ ।
ଭାଇ ଭାଇ ମଧ୍ୟେ ଥିଲା ସ୍ନେହ,ପ୍ରେମ
ପିତୃ ମାତୃ ଭକ୍ତି ଭାବ ,
ଜଣଙ୍କ ପାଇଁକି ଆଉ ଜଣେ ଭାଇ
ରାଜ୍ୟ କରୁଥିଲେ ତ୍ୟାଗ ।
ସତ୍ୟ ରକ୍ଷା ଆଉ ଧର୍ମ ରକ୍ଷା ଲାଗି
ଭୋଗିଥିଲେ ବହୁ କ୍ଳେଶ ,
ଯୁଗ ଯୁଗ ପାଇଁ ତାଙ୍କ ଭ୍ରାତୃପ୍ରେମ
ଅଛି ହୋଇ ଆଦରଶ ।
ଲବଣୀ ଟିକିଏ ଖାଇବାକୁ ଏଠି
ଗୋଳ କରୁଅଛ ଦୁହେଁ ,
ଦହି ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲ
ଇଏ ଜମା ଭଲ ନୁହେଁ ।
ପିତା ମାତାଙ୍କର ନୟନ ସଙ୍ଖାଳି
ତୁମେ ଦୁଇ ଗୋଟି ହୀରା ,
ଆମ ଆଶା ଆଉ ଭରସା ଯେତେକ
ମିଶିକି କରିବ ପୂରା ।