Jayashree Das

Abstract Classics

4  

Jayashree Das

Abstract Classics

ଘୋଷଯାତ୍ରା

ଘୋଷଯାତ୍ରା

2 mins
272



ତୋ ଘୋଷ ଯାତ୍ରାର ଚାତକୀ ଟିଏମୁଁ,

   ଅନାଇଁ ରହିଛି ତୋତେ

ହୃଦ ବଡଦାଣ୍ଡେ ଗଡି ଯାଉ ଥରେ,

   ନନ୍ଦିଘୋଷ ହେ ସାଆନ୍ତେ ।


ସେ ମୁଖ ଚନ୍ଦ୍ରମା ପିୟୁଷ ବାରିଧି,

   ତୃଷିତ ପରାଣେ ମୋର

ଶୀତଳତା ଦେଉ ତପ୍ତ ହୃଦରେ.,

   ନୀଳାଚଳ କଳାକର ।


ଆଷାଢ଼ର ଏହି ଶୁକ୍ଳ ଦ୍ଵିତୀୟାରେ,

   ଭାଈ ଓ ଭଉଣୀ ସଙ୍ଗେ

ଜନ୍ମବେଦୀ ଯାଉ ନନେଇ ମାଆଙ୍କୁ,

   ପାଦ ପକାଉ ତୁ ରଙ୍ଗେ ।


ବରଷକେ ଥରେ ଗୁଣ୍ଡିଚା ଘରକୁ,

   ବୁଲିବାକୁ ଯିବୁ ବୋଲି

କଥା ଦେଇଥିଲୁ ରାଜା ଇନ୍ଦ୍ରଦ୍ୟୁମ୍ନ,

   ମା, ତୋ ଗୁଣ୍ଡିଚା ରାଣୀ ।


ନୀଳାଦ୍ରି ଚନ୍ଦ୍ରମା ନାହିଁ ତୋ ଉପମା,

   ତୁ ସର୍ବ ଅବତାର ଉତ୍ସ

ନୀଳକନ୍ଦରରେ ଲୀଳା ରଚୁଅଛୁ,

   ତୁହି ପରା ନୀଳପଦ୍ମ ।


ବାରମାସେ ତୋର ତେରଯାତ୍ରା ହୁଏ,

   ଘୋଷଯାତ୍ରା ଶ୍ରେଷ୍ଠ ଯାତ

ବିଶ୍ୱଐତିହ୍ୟରେ କଲ୍ୟାଣଉତ୍ସବ,

  ଦର୍ଶନ କରନ୍ତି ତୋହରି ଭକ୍ତ ।


ତ୍ରୈଲୋକ୍ୟଦେବତା ଭାଈ ଓଭଉଣୀ,

   ସଂଗତରେ ରଥେ ବସି

ପ୍ରତିଜ୍ଞା ବଦ୍ଧ ଯେ ଯଜ୍ଞବେଦୀ ଯାଅ,

   ତୁମେ ପରା ଅବିନାଶୀ ।


ତାଳଧ୍ଵଜ ରଥେ ଭ୍ରାତା ବଳଭଦ୍ର,

   ଉନ୍ନନୀ ନେତ ଉଡାଇ

ସାରଥୀ ମାତଳୀ ରଥ ଵାହିନିଏ,

   ହସ୍ତେ ହଳ ମୁଷଳ ଶୋଭଇ ।


ଭଉଣୀ ସୁଭଦ୍ରା ଦର୍ପଦଳନରେ,

   ସୁଦର୍ଶନ ସହ ବିଜେ

ବ୍ରହ୍ମମୟୀ ଶକ୍ତି ତତ୍ତ୍ୱମୟୀ ଦେବୀ,

    ଆତ୍ମା ନିୟନ୍ତ୍ରିକା ସାଜେ ।


ପରମାନନ୍ଦର ବିଗ୍ରହ ଯାହାର,

   ଆକର୍ଷଣ ଚିତାକର୍ଷି

ବଡ଼ ଦେଉଳର ବଳିୟାରଭୁଜ,

   ସେହି ନୀଳଗିରି ବାସୀ ।


ନନ୍ଦିଘୋଷ ରଥେ ବାମନ ରୂପରେ,

   ଅଧା ଚାନ୍ଦ ହସ ମୁଖେ

କୋଟିଏ ଚନ୍ଦ୍ରର ରୂପର ଲାବଣ୍ୟ,

   କଳା ହାତୀକୁ ଭକତ ଦେଖେ।


ଚଉରାଶି ଲକ୍ଷ ଯୋନିରୁ ମୁକତି,

    ବାମନ ରୂପକୁ ଦେଖି

ଜନ୍ମ ମୃତ୍ୟୁ ଚକ୍ରୁ ମୋକ୍ଷ ପାଇଥାନ୍ତି,

    ପବିତ୍ର ହୁଅଇ ଆଖି ।


ଭବ ସାଗରରୁ ପାରି ହେବାପାଇଁ,

   ନୌକାପରା ଚକାଡୋଳା

ବଡ ଦେଉଳରୁ. ବାହାରକୁ ଆସି,

    ବଡଦାଣ୍ଡେ କର ଲୀଳା ।


ଏହି ଯାତ୍ରା ତୁମ ନବଦିନାତ୍ମକ,

  ଉତ୍କଳୀୟ ପ୍ରାଣତନ୍ତ୍ରୀ

ଲଳିତ ମୂର୍ଚ୍ଛନା ଖେଳିଯାଏ ପ୍ରାଣେ,

   ରହେ ନାହିଁ ଆଉ ଭୀତି ।


ତ୍ରୈଲୋକ୍ୟମୋହିନୀ ପତାକା ତୁମର,

  ଉଡୁଥାଏ ଫରଫର

ଦଧିନଉତିଟି ହିରଣ୍ୟଗର୍ଭ ଯେ,

  ରଜ୍ଜୁ ନାଗୁଣୀ ସେ ଶଙ୍ଖଚୂଡ଼ ।


ଷୋଳକଳା ତୁମ ଷୋଳଗୋଟି ଚକ,

  ଆବରଣ ପୀତ ଲୋହିତ

ରଥର ଦେବୀ ଯେ ସ୍ୱୟଂ ଯୋଗମାୟା,

   ପାର୍ଶ୍ୱ ଦେବାଦେବୀ ବହୁତ ।


ଶ୍ରୀ କରରେ ଶୋଭା ଶଙ୍ଖ ଚକ୍ର ତୁମ,

   ସାରଥୀ ତୁମ ଦାରୁକ

ଚକ୍ର ଧ୍ୱଜ ତୁମ ରକ୍ଷା କରିବାକୁ,

   ଗରୁଡ ଅଛନ୍ତି ରକ୍ଷକ ।


ଗଜପତି ରାଜା ସୁବର୍ଣ୍ଣ ମାର୍ଜନା,

  ସ୍ୱହସ୍ତ ରେ କରିଥାନ୍ତି

ଚନ୍ଦନ ପାଣିରେ ସୁବାସିତ ପୁଷ୍ପ,

  ସେବକ ନୀତି କରନ୍ତି ।


ନନ୍ଦିଘୋଷେ ପ୍ରଭୂ ଶରଧା ବାଲିରେ,

  ଘୋଷ ଘର୍ଘର ନାଦେ

ଦିବ୍ୟରଥ ଗଡେ ବିଜୟ ଧ୍ୱନିରେ,

  ଔଲକିକ ଭକ୍ତି ଉଦେ ।


ଭୂମା ଓ ପ୍ରକୃତି ପରମ ପୁରୁଷ,

  ମିଳନ ତୁମର ହୁଏ

ଚେତନା ର ଅମା ଅନ୍ଧକାର ଭେଦି,

  ଏ ସାରା ଜଗତ ମୋହେ ।


ରଥା ରୁଢ଼ ତୁମ ଚତୁର୍ଦ୍ଧl ମୂରତି,

   ମନ୍ଦାକିନୀ ପ୍ରେମ ଭକ୍ତି

ଜୀବନ ଯନ୍ତ୍ରଣା ଉଣା କରେ ଭକ୍ତ,

   ଏହି ତୁମ ଯାଦୁ ଶକ୍ତି ।


ଗୁଣ୍ଡିଚା ନବରେ ମହାବେଦୀ ପରେ,

  ଦର୍ଶନ ଥରେ ହୋଇଲେ

ଜନ୍ମ ଜନ୍ମ ପାପ କ୍ଷୟ ହୋଇ ଥାଏ,

  ଯେତେ ପାପ କରିଥିଲେ ।


ଭକ୍ତ ବଳରାମ ବାଲି ରଥ କରି,

   ତୁମ ରଥ ଥିଲେ ଅଟକାଇ

ସାଲବେଗ ଆସେ ଦର୍ଶନର ଆଶେ,

  ରଥେ ଅପେକ୍ଷା କଲ ଗୋସେଇଁ ।


ଅଭିମାନ ତେଜ ହେ ମାନଭଞ୍ଜନ,

  ତୁମେ ପରା ଅନ୍ତର୍ଯ୍ୟାମୀ

ଭକତ ଅନ୍ତର କରୁଣ ବିଳାପ,

  ପାରୁନାହଁ କି ଵା ଶୁଣି ।


ପତିତ ତାରଣ ହେ ଦୁଃଖ ନାଶନ,

  ଦୁଃଖ କୁ ହରଣ କର

ତୁମ ଘୋଷ ଯାତ ଦେଖୁ ହେ ନୟନ,

  ଘେନ ହେ ପ୍ରଣାମ ମୋର ।


Rate this content
Log in

Similar oriya poem from Abstract