STORYMIRROR

Dr. Pratap Kumar Swain

Classics

3  

Dr. Pratap Kumar Swain

Classics

ସେ ଦିନ ଏ ଦିନ

ସେ ଦିନ ଏ ଦିନ

2 mins
226


ଭାରି ତାଜା ଲାଗେ ସେ ଦିନର ସ୍ମୃତି

ରାଜା ପ୍ରାୟ ଦିନ କଟୁଥିଲା ନିତି

ରଜ ପରବ ଆସିଲେ।


ରଜ ପାନ ଆଉ ରଜ ଦୋଳି ଗୀତ

ମନକୁ ପ୍ରସନ୍ନ କରେ।

ଦାଣ୍ଡିଆ ଗୁଡେଇ ବାଗୁଡି ଖେଳରେ

ରଜକଟେ ତିନିଦିନ।


ଖେଳାଳୀଙ୍କ ଠାରୁ ଦର୍ଶକ ଅଧିକ

ଗାଆଁ ଦାଣ୍ଡ କମ୍ପମାନ।

ଏବେ ସେହି ଖେଳ ଖେଳିବ ବା କିଏ

ଗାଆଁ ରାଜନୀତି ବୁଦ୍ଧି ଯେ ହଜାଏ

ରଜ ଲାଗେ ଭାରି ଫିକା।


ପଲ୍ଲୀ ସ୍ବର ଆଜି ବେସୁରା ହେଉଛି

ଦେଖି ଲାଗେ ଏକା ଏକା।

ସେଦିନର ପ୍ରିୟ ରଜ ପୋଡପିଠା

ହଜାଇ ଦେଇଛି ତା ନିଜର ସତ୍ତା

ତାକୁ ତିଆରିବ କିଏ।


ଶାଶୁ ଚାହିଁଅଛି ବୋହୂର ହାତକୁ

ବୋହୂ ଦିନ ଯାଏ ଶୁଏ।

ଏବେ ଆସେ ରଜ ଘେନି ସଜବାଜ

ନାହିଁ ଦୋଳି ନାହିଁ ସେ ରଜ ମଉଜ

ଆଧୁନିକତାରେ ମାତି।


ଗାଡି ଚଢି ଯାଉ ଗାଆଁରୁ ସହର

ଫୁଲାଇ ଆମର ଛାତି।

ସଞ୍ଜ ହେଲେ ଗୋରୁପଲ ବାହୁଡନ୍ତି

ବୋଉ ଜାଳୁଥାଏ ବସି ସଞ୍ଜବତୀ

ମନ୍ଦିରରୁ ଶୁଭେ ଘଣ୍ଟ ।


ଅଜା ପାଖେ ବସି ଆଇ ଶୁଣୁଥାଏ

ଆନନ୍ଦରେ ଭାଗବତ।

ଏବେ ସଞ୍ଜ ହେଲେ ଟିଭି ଆଗେ ବସି

ଆଁ କରି ଦେଖୁ କେତେ ଯେ ରୂପସୀ

ଭାଗବତ ବହି ପଢିବ କିଏ।


ଗାଁ ମୁଣ୍ଡଟାରେ ପରଚର୍ଚ୍ଚା କଲେ

ବାହାଦୂରୀ ମିଳୁଥାଏ।

ପାଠ ପଢିବାକୁ ଗାଆଁ ଚାଟଶାଳୀ

ଧାଉଁଥିଲେ ପିଲା ବସ୍ତାନିକୁ ଧରି

ଅବଧାନଙ୍କର ବେତ।


ପଣିକିଆ ଟିକେ ଭୁଲ ହୋଇଗଲେ

ପୃଷ୍ଠଦେଶେ ଖୋଳେ ଗାତ।

ନାହିଁ ଚାଟଶାଳୀ ଅବା ଅବଧାନ

ସେ ବେତ ମାଡଟା ଆଜି ଯେ ନିଶ୍ଚିହ୍ନ

ଅଣ୍ଡା ମିଳେ ଗଲେ ପଢି

ପାଠ ପଢା ଆଜି ଦଣ୍ଡବିନା ଚାଲେ

ସତେ ଅବା ରେଳଗାଡି।


ପହିଲି ଆଷାଢ ବରଷା ଝଡିରେ

ଗାଆଁ ପୋଖରୀ ଓ ନଦୀ ଯେ ଉଛୁଳେ

ମାଛ ଖେଳେ କ୍ଷେତ ସାରା।

ପିଲାଠାରୁ ବୁଢା ଯେତେ ଗାଁ ଲୋକ

ମାଛ ପାଇଁ ଟଣାଭିଡା।


ଏବେ ସେ ଆଷାଢ ବରଷା ଯେ କାହିଁ

ପାଣି ମାହାରା ଟା ଶୁଖି କାନ୍ଦୁଥାଇ

ମାଛ ଉଠିବେ ବା କାହିଁ।

ବରଷା ବିହୁନେ ମାଛ ବଂଶ ବୁଡେ

ମଣିଷ ପାଇବ କାହିଁ।


ଶ୍ରାବଣର ଝଡି ଛାଡି ଘୋର ରଡି

ବରଷଇ ଯେବେ ଜଳ ଦିବାନିଶି

ଘରୁବାହାରିବ କିଏ

ଚଷାପୁଅ କିନ୍ତୁ ପକ୍ଷୀଆଟା ଧରି

ଜମି ପରେ ଧାନ ରୁଏ।


ଏବେ ସେ ଶ୍ରାବଣ ଝଡି ଯେ ସପନ

ଚଷାପୁଅ ଚାଷେ ଦେଉ ନାହଁ ମନ

କେତେ ଯୋଜନା ତା ପାଇଁ ।

ଲାଭ ଉଠାଏ ସେ ଯୋଜନା ରୁ ବସି

ଦିନ କାଟେ ବସି ଶୋଇ।


ଭାଦ୍ରବ ମାସରେ ବିଲ ହୁଡାଗାତେ

କାଳିଆ କଙ୍କଡା ଧରୁ ଖେଞ୍ଚି କେତେ

ସେଦିନ ଯାଇଛି ଚାଲି।

କାଳିଆ କଙ୍କଡା ସତ୍ତା ନାହିଁ ଆଉ

ବିଲ ଘାସେ ଉଠେ ପୂରି ।


ସଞ୍ଜ ପହରରେ ଗାଆଁ ମଶାଣିରେ

ଶୃଗାଳ ମାନଙ୍କ ହୁକେ ହୁ ରଡିରେ

ପ୍ରଥମ ପ୍ରହର ହୁଏ।

ଆମ ଗାଆଁ ବନା ନିର୍ଭୁଲ ଭାବରେ

ସମୟ ଟା କହିଦିଏ।


ଏବେ ଗାଆଁ ସବୁ ଜଙ୍ଗଲ ଶୂନ୍ଯ

ଶୃଗାଳ ପ୍ରଜାତି ହେଲେଣି ନିଶ୍ଚିହ୍ନ

ହୁକେ ହୁ କାହୁଁ ଶୁଭିବ

ସମସ୍ତଙ୍କ ଘରେ କାନ୍ଥ ଘଣ୍ଟା ରହି

କରେ କିଳିକିଳା ରାବ।


ତଣ୍ଡା ନଈ ଆଉ ସମୁଦ୍ର ବକ୍ଷରେ

ମତ୍ସ୍ଯଜୀବୀ ନିତି ଜାଲ ତାର ମେଲେ

ଧରେ ନାନା ଜାତି ମାଛ।

ପ୍ରଦୂଷଣ କଲା ମାଛ ବଂଶ ପଦା

ମତ୍ସ୍ଯଜୀବୀ ଯେ ହତାଶ।


ନଦୀ ପୋଖରୀରୁ ବନିସ କଣ୍ଟାରେ

ଥୋପ ଗୁନ୍ଥି କେତେ ମାଛ ଧରା ଚାଲେ

ଏବେ ଫୁରୁସତ୍ କାହିଁ ।

ମାଛ ଚାଷ ଚାଲେ ବଣିଜ ପାଇଁକି

ପୋଖରୀରେ ବାଡ ଦେଇ।


ଖିରିକୋଳି ଆଉ ଶଗଡ ବାଟୁଆ

ଗୁଆଟିଆ ବେତ କୋଳି ପାଳଧୁଆ

ବଅଁଶ ଗଲାଣି ବୁଡି।

ପରିବେଶ ନଷ୍ଟ କରି ଆମେ ସବୁ

ଜହର ପିଉଛେ ଖାଲି।


ସେଦିନର ଦୋଳ ମେଲଣ ବା କାହିଁ

ଗାଆଁ ଦାଣ୍ଡ ଆଉ ଫାଟି ପଡୁନାହିଁ

ଦୋଳ କାନ୍ଧେଇବ କିଏ।

କାନ୍ଧେଇବା ଲୋକ ମାଗେ ନାଲି ପାଣି

ଶ୍ରୀକୃଷ୍ଣ କମ୍ପନ୍ତି ଭୟେ।


ରାମଲୀଳା ଆଉ ଗାଆଁ ସଂକୀର୍ତ୍ତନ

ଯେତେ ଯାନିଯାତ୍ରା ହୁଅଇ ପାଳନ

ସବୁଥିରେ ପଶେ କଳି

ଯାତରା ଶେଷରେ ନିଶାପ ବସଇ

ହିସାବ ମିଳେନା ବୋଲି।


ମଣିଷ ଟା ଯେବେ ଛାଡେ ଏ ଦୁନିଆ

ଚାରିକାନ୍ଧେ ନେଇ ଦେଇଥାନ୍ତି ନିଆଁ

ଏବେ ଚାରିକାନ୍ଧ ପାଇଁ ।

ମଦ ପିଇ ଦେଇ ଶବ କାନ୍ଧେନେଇ

ସତ୍କାର କରନ୍ତି ଯାଇ।


କି ସୁନ୍ଦର ଥିଲା ସେଦିନ ହେ ମିତ

ଆଜି ଲାଗେ ଏଠି ଭାରି ବ୍ଯତି ବ୍ଯସ୍ତ

କାହା ଦୃଷ୍ଟି ଗଲା ପଡି।

ସେଦିନର ସୁଖ ଆନନ୍ଦ ଉଲ୍ଲାସ

ସବୁ ଦେଲୁ ଆମେ ପୋଡି।

 


 



రచనకు రేటింగ్ ఇవ్వండి
లాగిన్

Similar oriya poem from Classics