ଜୀବନ ପ୍ରବାହ
ଜୀବନ ପ୍ରବାହ

1 min

215
ହାଏରେ ମଣିଷ ତୋର ଜନମ
ଜଞ୍ଜାଳ ଯାତନା ଭରା ଜୀବନ l
ଜନନୀ ଜଠରୁ ଆସି ଯେବେ ମାଟି ଛୁଇଁଲୁ
ଆହାର ପାଇଁ ଆତୁରେ ଏଣେ ତେଣେ ଚାହିଁଲୁ
କୁଆଁ କୁଆଁ ଉଚ୍ଚେ କରି ରୋଦନ l
ଗୁରୁଣ୍ଡି ଗୁରୁଣ୍ଡି ଚାଲି ବୁଲିଲୁ ତୁ ଦୁନିଆ
ମାଟିର ମମତା ତୋର କରିଦେଲା କିମିଆ
କାମିନୀ କାଞ୍ଚନେ ହେଲୁ ମଗନ l
ପଡ଼ିଗଲୁ ସଂସାରର ମାୟାଜାଲ ଘାଇରେ
ଦିନରାତି ନ ଅଣ୍ଟିଲା ତୋତେ ଧାଇଁ ଧାଇଁରେ
ମୋର ମୋର ସୁଖେ କଲୁ ଭଜନ l
ଜରା ଯାତନାରେ ଯେବେ ହୋଇଲୁ ତୁ ଅବଶ
ଶକତି ବିନା ମନରେ ହରାଇଲୁ ସାହସ
ସବୁ କଳାପନା ହେଲା ସପନ l
ଜୀବନର ଚଲାପଥ ଏହିଠାରୁ ସରିଲା
ଆଗରୁ କି ହେବ ଭାବି ହତାଶ ତୋ ବଢିଲା
ଶେଷରେ ହୋଇବ ସାରା ମରଣ
ଜଞ୍ଜାଳ ଯାତନା ଭରା ଜୀବନ l