ମନ ଖୋଜେ ଯାହା
ମନ ଖୋଜେ ଯାହା
ସବୁ କଢ଼ କେବେ ଫୁଲ ଟିଏ ହୋଇ
ଫୁଟି ପାରନ୍ତିନି ସୁନ୍ଦର ହୋଇ ,
ଜୀବନ ସ୍ପନ୍ଦନ ନିଶ୍ଚିତ ନୁହଇ
ସକାଳର ସୂର୍ଯ୍ୟ ଦେଖିବା ପାଇଁ ।
ସବୁ ମୁଖ କେବେ ଯୋଗ୍ୟ ହୁଅନ୍ତିନି
ସୁମଧୁର ଭାଷା କହିବା ପାଇଁ ,
ସବୁ ବିଶ୍ଵାସର ମଧୁର ଅପେକ୍ଷା
ମନ ହିସାବରେ ମିଳଇ ନାହିଁ ।
ସବୁ ବନ୍ଧନ ଯେ' ମଧୁର ବନ୍ଧନ
ଏ' କଥା ଭାବିବା ଭୁଲ୍ ଅବଶ୍ୟ ,
ଏକା ପରି ନୁହେଁ ସମସ୍ତଙ୍କ ମନ
କେଉଁଠି ଅମୃତ କେଉଁଠି ବିଷ ।
ଅଖଣ୍ଡ ବିଶ୍ୱାସ ଅନେକ ଦିନର
ଭାଙ୍ଗିଯିବା କିଛି ଆଶ୍ଚର୍ଯ୍ୟ ନୁହେଁ ,
ସବୁ ସମୟର ରଙ୍ଗ ଭିନ୍ନ ଭିନ୍ନ
ଅନୁଭବରୁ ତ' ଚେତାଇ ଦିଏ ।
ସବୁ ରାତି କେବେ ସ୍ୱପ୍ନମୟ ନୁହେଁ
ସବୁ ଦିନ ନୁହେଁ ଏକା ଯେପରି ,
ସବୁ ସମୟର ରଙ୍ଗ ଭିନ୍ନ ଭିନ୍ନ
ଅଲଗା , ଅଲଗା ମଣିଷ ପରି ।
ନଖୋଲିଲେ ମୁହଁ, ନଚିହ୍ନିଲେ ଆଖି
ଜାଣିତ ହେବନି ମରମ ଭେଦ ,
କିଏ ଆପଣାର ଅବା ଭାବେ ପର
ମଣିଷ ଭିତର ଗୁମର ଛେଦ ।
ମନ ଚାହୁଁଥାଏ ଅଫୁରନ୍ତ ସ୍ୱପ୍ନ
ଚାନ୍ଦିନୀ ରାତିର ଶୀତଳ ଛାଇ ,
ସ୍ୱପ୍ନ ଓ ସରାଗ ଏପରି ଜିନିଷ
ସାରା ଜୀବନଟା ଆଶା ରହଇ ।
ମନ ଖୋଜୁଥିବା ମନଲୋଭା ପକ୍ଷୀ
ଧରାଦେବ ନିଶ୍ଚେ ହାତରେ ଆସି ,
ମୋ' ଘର ଅଗଣା ମୁଖରିତ କରି
ଖୁସି ପରିବେଶ ଦେବ ପରୋଷି ।
ଏ' କଥା ଭାବିବା ନିହାତି ବୋକାମି
ଯାହା ମନ ଚାହେଁ ସେଇଆ ହେବ ,
ଯାହା ମୁଁ' ଚାହୁଁଛି ଯାହା ଚାହୁଁ ନାହିଁ
ଏହା କି' ସମ୍ଭବ କେବେ ହୋଇବ ।
ମରିବା ଲୋକର ଶେଷ ଇଚ୍ଛା ଥାଏ
ମହାପ୍ରସାଦ କୁ ପାଇବା ପାଇଁ ,
ଏ କଥା ଭିନ୍ନ ଯେ' କିଏ ପାଏ ପୁଣି
ମରିଯାଏ ବିନା ପାଣିରେ କେହି ।