ମମତା ସମୁଦ୍ର
ମମତା ସମୁଦ୍ର
ମମତା ର ମହା ସମୁଦ୍ର ସେ
ସୃଷ୍ଟି ର ଆଦ୍ୟ ଓଁକାର ,
ହୃଦୟ ତା' ଅନନ୍ତ ଆକାଶ
କଥା ତା'ର ମହୁଠୁ ମଧୁର ।।
ଗ୍ରୀଷମ ଜ୍ୱାଳା ରେ ଜଳି ଜଳି
ସହି ସହି ବରଷା ର ଝଡି ,
ମଞ୍ଜି ଟିକୁ ଗଛ ରୂପ ଦିଏ
ଗର୍ଭ କଷ୍ଟ ସହି ଅନ୍ତଫାଡି ।।
ତା'ର ରକ୍ତ ମାଂସ ଦାନ କରି
ଗଢେ ସିଏ ଲବଣୀ ପ୍ରତିମା ,
ପୁଅ ହେଲେ ତା' ରାଜକୁମାର
ଝିଅ ଅଲିଅଳି ରାଜଜେମା ।।
ନିଜ ବୁକୁ ରୁଧିର ପିଏଇ
ସନ୍ତାନ କୁ କରେ ପରିପୁଷ୍ଟ ,
ତାର ତ୍ୟାଗ , ତପସ୍ୟା ବଳରେ
ସର୍ବ ଗୁଣ ହୁଏ ପରିସ୍ଫୂଟ ।।
ସୂର୍ଯ୍ୟ ,ଚନ୍ଦ୍ର କିରଣ ସମାନ
ବାଣ୍ଟିଦିଏ ନିଜ ଖରା,ଛାଇ ,
ବଡ,ସାନ ,କଣା,କାଲା,ଛୋଟା
ଭେଦ ଭାବ ସିଏ ଜାଣେନାହିଁ ।।
ତା' ମୁହଁକୁ ଅନେଇ ଅନେଇ
ଓଠରେ ମୋ ଉତୁରିଛି ଭାଷା ,
ସିଏ ମୋ ପ୍ରଥମ ପୂଜ୍ୟା ଗୁରୁ
ଦେଖାଇଛି ଭଲ ମନ୍ଦ ଦିଶା ।।
କେତେ ଅଝଟ ,ଅଳି ଅର୍ଦ୍ଦଳି
ରୁଷା ଫୁଲା ତା' ନିକଟରେ ,
ଧରିତ୍ରୀ ମାତା ଭଳି ସହିଛି
ହସି ହସି ସବୁ ନିରବରେ ।।
ସ୍ୱାଦିଷ୍ଟ ଦ୍ରବ୍ୟ ମୋତେ ଭୁଞ୍ଜେଇ
ଉଚ୍ଚିଷ୍ଟରେ ବୁଝାଇଛି ମନ ,
ମୋ ସପନ ପୂର୍ଣ୍ଣ କରିବାକୁ
ଭୁଲିଛି ସେ
ତା' ନିଜ ସପନ ।।
ଗୁଗୁପାଞ୍ଚି ଆଉ ସୁନାକାଞ୍ଚି
ତା' କୋଳ ମୋ ଟିକି ଝୁଲଣା ,
କାନ୍ଦିଲେ ସେ ବୁଝାଇଛି ଦେଇ
ମିଛ ଜହ୍ନ, ତାରାର ଖେଳଣା ।।
ଧୋ ବାୟା ,ଝୁଲ୍ ହାତୀ ଝୁଲ୍
ଆଦି କେତେ ନା ନା ବାୟା ଗୀତ ,
ତା' ସଙ୍ଗେ ସରି ହେବକି ଯେତେ
ଦୁନିଆଁର ସୁଗମ ସଙ୍ଗୀତ ।।
ତା' ପଣତ ମୋ ଦିବ୍ୟ କବଚ
ଶୀତ ବରଷାରେ ରଖେ ଘୋଡି ,
ବିଞ୍ଛି ଦିଏ ଝାଳ ଦେହ ପୋଛି
ଧୂଳି ମଳି ଦିଏ ଯତ୍ନେ ଝାଡି ।।
ମୋ ମଙ୍ଗଳ ମନାସି ମନାସି
ଜାଳୁଥାଏ ନିତି ସଞ୍ଜେ ଦୀପ ,
ମୁଁ କାଳେ ତା ' ନୟନ ପିତୁଳା
ତା' ଅନ୍ଧାର ଘରର ପ୍ରଦୀପ ।।
ଜ୍ୱର ତପ ରୋଗ ବ୍ୟାଧି ବେଳେ
ଜଗିଛି ସେ ଭୋକ ଶୋଷ ଭୁଲି , ତା'କୋମଳ ସ୍ପର୍ଶ ମୋ ଦେହରେ
ଅମୃତ ଲେପ ଦେଇଛି ବୋଳି ।।
କେତେ ଦୁଃଖ ସହିଛି ମୋ ପାଇଁ
ବଦଳରେ ମାଗିନାହିଁ କିଛି ,
ତା' ଦୟାରୁ ମଥା ଉଚ୍ଚ କରି
ଦୁନିଆଁରେ ବାଟ ମୁଁ ଚାଲୁଛି ।।
ମାଆ ପତିତପାବନୀ ଗଙ୍ଗା
ତା' ପାଦ ତ୍ରିବେଣୀ ସଙ୍ଗମ ,
ମାତୃଋଣ ଶୁଝି ପାରିବାକୁ
ସଂସାରରେ କେହୁ ବା ସକ୍ଷମ ??
ଯା'କୋଳରେ ଜନମ ନେବାକୁ
ଲାଳାୟିତ ଜଗତ ଠାକୁର ,
ସେଇ ମାଆ ପଦ ଯୁଗଳକୁ
ପ୍ରଣାମ ମୁଁ କରେ ବାରମ୍ବାର ।।