ବୈଜ୍ଞାନିକ ମୋ କୁନା
ବୈଜ୍ଞାନିକ ମୋ କୁନା
ଦିନେ ବୋଉକୁ କହିଲା କୁନା
ପୂନେଇଁ ଚାନ୍ଦ ଦେଖି ,
ବୋଉଲୋ ଏଇ ଶଶାଟା କିଆଁ
ଚାନ୍ଦରେ ଅଛି ଲାଗି ।।
ଉହାଡ କରି ଦିଏ ଲୁଚାଇ
ଜହ୍ନ ମାମୁଁଙ୍କୁ ମୋର ,
ମାମୁଁ ଦେଶରେ ରହୁଛି ପୁଣି
ଏଡେ ବହପ ତା'ର ।।
ବୋଉଲୋ ଆଜି ଜହ୍ନ ରାଇଜ
ନେଇଯା ମୋତେ ତୁହି ,
ଏ ଠେକୁଆକୁ ଆଣିବି ଟାଣି
ପିଠିରେ ଛାଟ ଦେଇ ।।
କହନ୍ତି ବୋଉ କୁନାରେ ତୁ ତ
ହେଲୁଣି ବଡ଼ ବାବୁ ,
ଯେତେବେଳେ ତୁ ଛୋଟିଆ ଥିଲୁ
କହୁଥିଲି ଏ ସବୁ ।।
ଏବେ ତ ତୁହି ବିଦ୍ୟାଳୟକୁ
ପଢ଼ି ଗଲୁଣି ପାଠ ,
ଜହ୍ନ ରାଇଜ ଯିବାକୁ ଧନ
କର ନାହିଁ ଅଝଟ ।।
ଜହ୍ନ ତ ନୁହେଁ ମାମୁଁ କାହାର
ନାହିଁ ତା'ର ରାଇଜ ,
ନୁହେଁ ସେ ରାଜା ଉପଗ୍ରହ ସେ
ମନରେ ଏବେ ହେଜ ।।
ସୂରୁଜ ଚାରିକଡେ ପୃଥିବୀ
ତା' କଡେ ବୁଲେ ଜହ୍ନ ,
ଛାଇ ଆଲୁଅ ଖେଳରୁ ଜହ୍ନ
ହୁଅଇ ବଡ଼ ସାନ ।।
ଜହ୍ନ ଉପରେ ଶଶକ ବୋଲି
ଯାହାକୁ ବାପ କହୁ ,
ଜହ୍ନ ପୃଷ୍ଠର ଗର୍ତ୍ତ, ପାହାଡ଼
ଅଟଇ ସିନା ସେହୁ ।।
ପଢିରେ କୁନା ଭଲ ପାଠ ତୁ
ଯେବେ ବଡ଼ ହୋଇବୁ ,
ବିଜ୍ଞାନୀ ସାଜି ରକେଟ୍ ଚଢ଼ି
ଜହ୍ନ ରାଇଜ ଯିବୁ ।।
ଜହ୍ନର ଏଇ ଶଶ ଉପରେ
କରିବୁ ଗବେଷଣା ,
ସଭିଙ୍କୁ ମୁହିଁ କହିବି ବଡ଼
ବୈଜ୍ଞାନିକ ମୋ କୁନା ।।