ଆଇସ୍ କ୍ରିମ୍
ଆଇସ୍ କ୍ରିମ୍
ଟିନ୍ ଟିନ୍ ବାଜେ ସାଇକେଲ ଘଣ୍ଟି
ଆଇସ୍ କ୍ରିମ୍ ନିଅ ଆଇସ୍ କ୍ରିମ୍ ,
ପିପରମେଣ୍ଟରେ ତିଆରି କରିଛି
ପାଟିକୁ ଲାଗିବ ଝିମ୍ ଝିମ୍ ।।
କମଳା ରସରେ କମଳା ଦିଶୁଛି
ଓଠ ହୋଇଯିବ ନାଲି ନାଲି ,
ଆମ୍ବରସ ଆଉ ସପୁରୀ ରସରେ
ତିଆରି କରିଛି ଭଳି ଭଳି ।।
ଖିର, ନଡ଼ିଆର ଅଛି ଆଇସ୍ କ୍ରିମ୍
ଲାଗିବ ପାଟିକୁ ସୁଆଦିଆ ,
ଗରମ ଖରାଟା ନରମ ଲାଗିବ
ମନଟା ଲାଗିବ ସରସିଆ ।।
କୁଲୁଫି,ମଲେଇ ଆଣିଛି ଅଳପ
ଖାଇଲେ ପାଟିରୁ ଛାଡିବନି ,
ସ୍ପେଶାଲ ଜିନିଷ ଅଧିକ ପଇସା
ଗଣିବାକୁ ପିଲେ ଡରିବନି ।।
ପେଟ ପାଇଁ ସିନା ଏତେ ନାଟ ମୋର
ଖରାକୁ ମୁଣ୍ଡେଇ ଚାଲିଅଛି ,
ଗରମରେ ସିଝି ଝାଳେ ଭିଜି ଭିଜି
ତୁମ ପାଇଁ ଥଣ୍ଡା ଆଣିଅଛି ।।
ଜଲ୍ ଦି ଜଲ୍ ଦି ଚାଲିଆସ ପିଲେ
କିଣିନିଅ ମୋର ଆଇସ୍ କ୍ରିମ୍ ,
ବିକିଦେଲେ ମୁହିଁ ଘରକୁ ଫେରିବି
ଚାହିଁଥିବ ମୋର ରିମ୍ ଝିମ୍ ।।
ବାପ ଛେଉଣ୍ଡିଆ ତିନି ବରଷର
ସୁନା ନାତୁଣୀ ମୋ ଗଳାମାଳି ,
ବାଟରୁ ତା ' ପାଇଁ ଚକୋଲେଟ୍ ସହ
ନେଇଯିବି ଗୋଟେ ପେଏଁକାଳି ।।