କାଇଁଶ ରାଣୀ
କାଇଁଶ ରାଣୀ
ପୋଖରୀ ଜଳରେ ପ୍ରତିବିମ୍ବ ଆଙ୍କେ ଶ୍ୱେତ ମେଘ ଆଲିମ୍ପନା ,
ରାତ୍ରି ଆକାଶକୁ ଶିହରିତ କରେ ଶଶୀ ଶୁଭ୍ର ଶାମିଆନା ।
ସବୁଜ ଧରଣୀ ବକ୍ଷେ ସୁଶୋଭିତା କୁଆଁରୀ କାଇଁଶ ରାଣୀ ,
ପନ୍ନା ସୁସଜ୍ଜିତ ରତ୍ନହାରେ ଯଥା ହୀରକ ପଦକ ଠାଣି ।
ଶଙ୍ଖ ମର୍ମର ତା' ଅପଘନ ଚୁମ୍ବେ ଶିଶିର ମୁକୁତା ବିନ୍ଦୁ ,
ଉଦ୍ଭାସିତ ହୋଇ ବିଲମ୍ପନ ଯହିଁ ଶତ ଶତ ଖଣ୍ଡ ଇନ୍ଦୁ ।
ମୃଦୁ ହିଲ୍ଲୋଳରେ ଢେଉ ଢେଉ ଲହଲହକା କମର ନୃତ୍ୟ ,
ଦୃଷ୍ଟି ପଥାରୂଢେ ନାଚି ଦର୍ଶକକୁ କରିନିଏ ବଶୀଭୂତ ।
ସରିତ ସଲିଳେ ନିଜ ସହ ଦେଖେ ଶରତ ସୌନ୍ଦର୍ଯ୍ୟ ଶୋଭା ,
ଶରତ କୋଳରେ କାଶତଣ୍ଡୀ ଖେଳ ଅପରୂପ ମନଲୋଭା ।
ଶରତ -କାଇଁଶ ,କାଇଁଶ-ଶରତ, ସତେ ଚନ୍ଦ୍ର କୁମୁଦିନୀ ,
ଜଣଙ୍କର ବିନୁ ଅନ୍ୟଟି ଯେମିତି ଅମ୍ଳଜାନ ବିନା ବହ୍ନି ।
କାଇଁଶ- ଶରତ ଯୁଗଳବନ୍ଦୀରେ ଶାରଦୀୟ ଗୀତି ଗାଇ ,
ସରଗ ରାଇଜୁ ମରତ ଧାମକୁ ମାଆ ଆସନ୍ତି ଓହ୍ଲାଇ ।