ଦେବକୀର ଅନ୍ତର୍ଦାହ-୧
ଦେବକୀର ଅନ୍ତର୍ଦାହ-୧
ଦେବକୀ ମୁଁ ଏକ ଦୁଃଖର ଡିବିରି
ଜଳୁଅଛି ଦିକି ଦିକି ,
ଦନ୍ତୁରା ପଥରେ ଲହୁଲୁହାଣ ଏ
ପାଦ ପଡ଼ିଲାଣି ଥକି.... ।।
କାହାକୁ କହିବି କପାଳ ଲିଖନ
ଥିଲି ରାଜ୍ୟ ରାଜଜେମା ,
ମାତା ପିତାଙ୍କର ସୌଭାଗ୍ୟ ଶଙ୍ଖାଳି
ଭାଇର ନେତ୍ର ପ୍ରତିମା.... ।।
ଫୁଲକୁ ଚନ୍ଦନ ପରି ପ୍ରାପ୍ତ ହେଲା
ବସୁଦେବ ପରି ସ୍ୱାମୀ ,
କାଳ ଚକ୍ର ଘୁରି ଭୂମିକମ୍ପ ସହ
ଡାକିଆଣିଲା ସୁନାମୀ.... ।।
ଭବିଷ୍ୟତ ନଖ ଦର୍ପଣ ଦର୍ଶନ
ଖଳ ଭାଗ୍ୟ ନଖରାମୀ ,
ଭାଇ,ଭଗ୍ନି ମଧ୍ୟେ ଲକ୍ଷ୍ମଣରେଖା ଟେ
ଟାଣିଦେଲ ଅନ୍ତର୍ଯ୍ୟାମୀ.... ।।
ଧରଣୀର ଭାର ଉଶ୍ୱାସ ଅର୍ଥରେ
ଯଦ୍ୟପି ତୁ ଅବତୀର୍ଣ୍ଣ ,
ଅନ୍ୟ ଜରାୟୁରୁ ଜନ୍ମିଥିଲେ ଲାଗି-
ନଥାନ୍ତା ତ କଳାଚିହ୍ନ.... ।।
ନିର୍ମୋହେ,ନିଷ୍କାମେ ପୂଜୁଥାନ୍ତି ତୋତେ
ଭକ୍ତି ଦୀପାବଳି ଜାଳି ,
ଭାବର ବନ୍ଧନେ ଆତ୍ମାର ସ୍ୟନ୍ଦନେ
ବସିଥାନ୍ତୁ ଗଳାମାଳି.... ।।
ମାମୁଁ ଭଣଜାର ମଧୁର ସଂପର୍କ
ଆଜି ସିନା କଳଙ୍କିତ ,
ଭାଇ ଭଉଣୀ ର ସୁନ୍ଦର ସଂପର୍କ
ଆଜି ତ କଳ୍ପନାତୀତ.... ।।
ମୃତ୍ୟୁ ଚିର ସତ୍ୟ ଅନ୍ତିମ ବିଶ୍ରାମ
ଅଜ୍ଞାନ ପଣେ ଅହନ୍ତା ,
ମୁଁ ସଢୁଛି କାରା କାଳ କୋଠରୀରେ,
ତାକୁ ଖାଏ କାଳ ଚିନ୍ତା.... ।।
ରାକ୍ଷୀ ଆସେ ଯାଏ ନଗ୍ରରେ ଉତ୍ସବ
ଉଦ୍ଦୀପନା ଉତ୍ସାହନ ,
ଉଦାସୀ ଆଖି ମୋ ଅଶ୍ରୁଭରା , ଭ୍ରାତା
ହସ୍ତ ଶୂନ୍ୟ, ଶିରୀହୀନ.... ।।
ଜୀବନ ଝଡରେ ଅଣନିଃଶ୍ୱ।ସୀ ମୁଁ
ସେ ସିନା ମୋ କର୍ମଫଳ ,
ତଥାପି ସର୍ବଦା ଶୁଭ ମନାସୁଛି
ସୁଖେ ଥାଉ ସହୋଦର.... ।।
ସୁଖେ ଥାଉ ସହୋଦର.... ।।
କ୍ରମଶଃ............