ଧରି ସେ ହାତ ଚାଲିଛି ବାଟ
ଧରି ସେ ହାତ ଚାଲିଛି ବାଟ
ଦେଖିଲି ଯେବେ ଏଇ ଦୁନିଆ
ଖୋଜିଲି ଆଗ ମାଆ
ନଦେଖି ଦଣ୍ଡେ ଛନକା ପିଣ୍ଡେ
କାନ୍ଦିଲି କୁଆଁ କୁଆଁ ।
କୋଳେଇ ନେଲା ତୁନି କରିଲା
ଧରାଇ ତୁଣ୍ଡେ ଥନୁ
ମାତୃତ୍ୱ ସ୍ନେହ କେତେ ଗୁରୁତ୍ୱ
ଜାଣିଲି ସେହି ଦିନୁ ।
"ଧରି ସେ ହାତ ଚାଲିଛି ବାଟ"
ଏଇ ଦୁନିଆ ଦାଣ୍ଡେ
ହେଲେ ଅଝଟ ଦେଖାଇ ଛାଟ
ଦଣ୍ଡି ମମତା ଦଣ୍ଡେ ।
କୁନି ତୁଣ୍ଡରେ କଅଁଳ କଥା
ଶିଖିଲି ମାଆ ଠାରୁ
ଭଲ ଅସାର ଦିଏ ବତାଇ
ମାଆ ହିଁ ଆଦ୍ୟଗୁରୁ ।
ଅବାଟେ ଗଲେ ବାଟ କଢ଼େଇ
ନିଅନ୍ତି ବାପା ମୋର
ଧରି ସେ ହାତ ଚାଲିଛି ବାଟ
ଆସିଛି ଏତେ ଦୂର ।
ଚାହିଁଛି ଯାହା ପାଇଛି ତାହା
ବାପାଠୁଁ ଯେତେ ଖୁସି
ବିପଦେ ମୋର ପର୍ବତ ପରି
ପତାଇଛନ୍ତି ଛାତି ।
ମିଛେ ଅଇରୀ ସତ୍ୟ ବେଭାରୀ
ସାଗର ସମ ଧୈର୍ଯ୍ୟ
ଶତ୍ରୁ ବରଜି ମିତ୍ର ଅରଜି
ଆଦର୍ଶଯୁକ୍ତ କାର୍ଯ୍ୟ ।
ଦାନ ଧରମ ସେବା କରମ
ଶିଖିଲି ତାଙ୍କ ଠାରୁ
ପିତା ସରଗ ପିତା ସରବ
ସିଏ ମୋ ଆଦ୍ୟଗୁରୁ ।
ହୋଇ ମୁଁ ଚାଟ ଚାଲିଲି ବାଟ
ବିଦ୍ୟା ଅର୍ଜନ ପାଇଁ
ଧରି ମୋ ହାତ ଲେଖାଇ ପାଠ
(ଗୁରୁ)ସାଜିଲେ ମୋର ସାଇଁ ।
ହଟାଇ ଦେଲେ ଅମା ଅନ୍ଧାର
ସାଜି ପ୍ରଦୀପ ଜ୍ୟୋତି
ସୂକ୍ଷ୍ମ ମନରେ ସୂକ୍ଷ୍ମ ଚେତନା
ମୁଢତା ପାଏ ମୁକ୍ତି ।
ଦେବତା ଯହିଁ ମଥା ନୁଆଇଁ
ଲୋଡନ୍ତି ଆଶୀର୍ବାଦ
ଜୀବନ ଥିବା ଯାଏଁ ମୋ ଦେହେ
ସେବୀବି ତାଙ୍କ ପାଦ ।
ଧରି ସେ ହାତ ଚାଲିଲି ବାଟ
ସୁଗମ କରି ପଥ
ତାଙ୍କରି ପାଦେ ମଥା ଲୋଟାଇ
କରୁଛି ପ୍ରଣିପାତ ।
