ଶୀତ ସକାଳ
ଶୀତ ସକାଳ
ଥିରି ଥିରି ଶୀତ ଛୁଇଁଲା ମରତ
ସରଗ ଭୁବନ ଛାଡ଼ି
ପର୍ଣ୍ଣ ମୋଚିର ପ୍ରଣତ ପତର
ନିରବେ ପଡଇ ଝଡ଼ି ।
ଥକ୍କି ଝରି ପଡେ କାକର ସାଥିରେ
ପଦୁଅଁ ପାଖୁଡ଼ା ଲୁହ
ବିରହିଣୀ ଝୁରେ କାନ୍ତ ଦରଶନ
ତୁଟାଇ ଜୀବନ ମୋହ ।
କ୍ଷୀଣ ତନୁ ଦେଖି ତଟିନୀର ଆଖି
ଛଳଛଳ ମନ୍ଦ ଗତି
ଝାଉଁଳା କୁସୁମେ ଭ୍ରମର ବିଷାଦେ
ଖେଦରେ କାଟଇ ରାତି ।
ଦିନମଣି କର ମଳିନ ନିଷ୍ପ୍ରଭ
କୋଟି ତେଜିୟାନ ମୁହଁ
ଧରଣୀ ବକ୍ଷରେ ଶୁଭ୍ର ଚାଦର
ଥରଇ ଫୁଙ୍ଗୁଳା ଦେହ ।
କାକର ଭିଜା ଏ ସୁନେଲି ସକାଳ
ପ୍ରକୃତିର ନୂଆଁ ବେଶ
ସୁଷମା ପଖାଳି ପର୍ଯ୍ୟଟନ ସ୍ଥଳୀ
ଜନ ମନ କରେ ବଶ ।
ଉତ୍କଳ ଆକାଶେ ଅତିଥିର ବେଶେ
ଉଡନ୍ତି ବିଦେଶୀ ପକ୍ଷୀ
ଦକ୍ଷ ଚିତ୍ରକାର ସୁଦକ୍ଷ ତୁଳୀର
ରଙ୍ଗ ରହିଅଛି ସାକ୍ଷୀ ।
ନରମ ପୋଷାକ ଗରମ ବାଣ୍ଟଇ
ଆଦର ତାହାର ବେସି
ସିଆଁ ପଣତରେ ଅଭାବୀର ଶୀତ
ଦେହରୁ ଯାଉଛି ଖସି ।
ରଇତର ଖଳା ଦିଶଇ ଉଛୁଳା
ଫୁଲିଯାଏ ଛାତି ସୁଖେ
ନିଗାଡି ରକତ ସ୍ପନ୍ଦନର ମନ୍ତ୍ର
ଫୁଙ୍କଇ ସବୁରି ମୁଖେ ।
ମରାଳ ଖେଳଇ ଶୀତଳ ସଲୀଳେ
ମହାନନ୍ଦେ ମୀନ ଖୋଜି
ତେଜିଲେ ଆଳସ୍ୟ ସାଜିଲେ କର୍ମଠ
ଜିଣିବା ଜୀବନ ବାଜି ।