ଗେହ୍ଲେଇ ପ୍ରିୟା
ଗେହ୍ଲେଇ ପ୍ରିୟା
ବନ୍ଧା ପଡ଼ିଛି ମୋ ହୃଦୟ ମାଣିକ
ତୋର ଓଠ ଦୁଇ ଧାରେ
ଅସହାୟ ମୁଁ ଯେ ଡୁବି ଯାଉଅଛି
ନୟନ ସରସୀ ନୀରେ ।
ପିଙ୍ଗଳ କପୋଳ ଝଳି ଉଠେ ଜଳି
କାନ ଝୁମୁକାର ଝରା
ଅପଲକେ ଦେଖେ ତୋ ରୂପ ପସରା
ସୌନ୍ଦର୍ଯ୍ୟ ବୈଦୁର୍ଯ୍ୟ ତୋରା ।
ଲାଜ ଭିଜା ସଜ ଓଢଣୀ ଫାଙ୍କରେ
ଲୁଚିଅଛି ଚକା ଜହ୍ନ
ଶତମୁଖ ତୋର ରୂପ ଉପମାର
ଟିକି କଳାଯାଇ ଚିହ୍ନ ।
କାଉଁରୀ କନ୍ୟା ତୁ ପ୍ରୀତିର ବନ୍ୟା ତୁ
ଛନ୍ଦ ତରଙ୍ଗ ତୋ ଭାଷ
ରେଶମୀ ଚୁଟି ତୋ ଅମାନିଆ ନଈ
ଟାଣିନିଏ ତୋର ପାସ ।
ଛୁଇଁ ପାରୁନାହିଁ ମଳୟ ସାଜି ମୁଁ
ହୋଇବି ନିତ୍ୟ ବସନ୍ତ
ଦୂରେ ଦୂରେ ଥାଇ ନିତି ଚୁମୁଥିବି
ତୋ ମଥା ପୂର୍ଣ୍ଣ ସୀମନ୍ତ ।