ଶିଳ୍ପୀ ଶିଳା
ଶିଳ୍ପୀ ଶିଳା
ତୁମ ମନ ଗହନର ଉଙ୍କିମରା
ଅସମାହିତ ପ୍ରଶ୍ନ
ଝଡର ଇଗଲ ପରି କ୍ଷତାକ୍ତ ମନ
ଉପେକ୍ଷିତ ଲାଂଛିତ
ଭଙ୍ଗା ହୃଦୟର କୋହ
ଜ୍ଜ୍ଵାଳାମୁଖୀ ଆଖିରୁ ଥପ୍ ଥପ୍
ଝରି ପଡୁଥିବା ସ୍ୱାଭିମାନର ଲୁହ
ଥର ଥର ଓଠ
ବାଷ୍ପାରୁଦ୍ଧ କଣ୍ଠ
ବିଗଳିତ କରି ପକାଉଛି
ମୋ ଉଦଣ୍ଡ ଭାବନାର ଖିଅଲିପଣକୁ
ମୁଁ ଦୁସ୍ଥ କ୍ରାନ୍ତିକାରୀ ନାୟକ
ଶସ୍ତ୍ର ଶାଣିତ ପଥର
ଉଦ୍ଭ୍ରାନ୍ତ ପଥିକ
ମୁଁ ଆଗ୍ନେୟର ସନ୍ଦିଗ୍ଧ ଅଗ୍ନି କଣା
ବେସାହାରା ମରୁଭୂମିର
ତୃଷାତୁର ଝରଣା
ମୁଁ ଅନ୍ତରୀକ୍ଷର ଧୂମକେତୁ
ବର୍ଷା ବୈଶାଖ ବସନ୍ତର
ନଗ୍ନ ପ୍ରେମ ଋତୁ
ମୁଁ ବିବ୍ରତ ସାଗରର
ଅଶାନ୍ତ ଲହଡ଼ି
ସୁପ୍ତ ସହରର ଲିଭିଲା ଦିହୁଡ଼ି
କୁହ ! ହେଇପାରିବ ତମେ
ଅସ୍ତାଚଳ ଭାନୁର ଆଶାର କିରଣ ????
ଜଳାଇ ପାରିବ ତୁମ ଆଖି ଲୁହରେ
ମଲା ମନରେ ମଶାଲ ????
ରକ୍ତାକ୍ତ ପାଦରେ ଚାଲି ପାରିବ
କଣ୍ଟକିତ ପଥ ????
ଅବିଶ୍ୱାସର ଦୁର୍ଗନ୍ଧରୁ ସାଉଁଟି ପାରିବ
ସୁବାସିତ କସ୍ତୁରୀର ବାସ ????
ସାଜି ପାରିବ ତ ତୁମେ
ଅହଲ୍ୟାରୁ ଅଭିଶପ୍ତା ପାଷାଣୀ ????
ଭସ୍ମରୁ ହୋଇପାରିବ ତ ଚନ୍ଦନ
ତିଳ ତିଳ ଶିଳା ଦେହେ ଘଷି ହେଇ
ମୋ ମଥାର ତିଳକ ହେବାକୁ ????
କଣ ହେଲା ??
ନିରବ ରହିଗଲ ଯେ !
ମୁଁ ଜାଣିଛି
ମୋର ଅବାନ୍ତର ପ୍ରଶ୍ନ
ତମ ଅସମାହିତ ପ୍ରଶ୍ନର
ଉତ୍ତର ନୁହେଁ
ତଥାପି
ମୁଁ ଉତ୍ତୀର୍ଣ୍ଣ ପ୍ରେମର ଉଦ୍ୟୋଗୀ
ତୁମ ସଂସ୍ପର୍ଶର ସାନ୍ନିଧ୍ୟ
ମୋର ଚନ୍ଦ୍ର ତୋଳାର ଉପଲବ୍ଧି
ଅଭିଧାନର ସବୁ ପ୍ରୀତି ଶବ୍ଦ
ସରିଗଲା ପରେ
ଆରମ୍ଭ ହେଇଥିବା
ନିରାଡ଼ମ୍ବର ପ୍ରେମ
ଯଦି
ବାଧା ବନ୍ଧନର
ପାହାଡ଼ ଆଡେଇବା
ଗୋଟିଏ ଜନ୍ମ ପାଇଁ ସମ୍ଭବ ନ ହୁଏ
ତେବେ ସ୍ୱପ୍ନ ଦେଖିବା ଆସ !
ପ୍ରାଚୁର୍ଯ୍ୟଭରା ଭବ୍ୟ
ଦ୍ୱିତୀୟ କୋଣାର୍କରେ
ଯୁଗଟିଏ ପାଇଁ ଲାଗି ହେଇଯିବା
ନିହାଣ ମୁନର
ଆଞ୍ଚୁଡା ଖାଇ ଖାଇ
ପ୍ରଣୟ ପ୍ରଣାଳୀର "ଶିଳ୍ପୀ ଶିଳା"ହୋଇ