ଫେରି ଆସ ତୁମେ
ଫେରି ଆସ ତୁମେ
ଫେରି ଆସ ତୁମେ ସ୍ୱପ୍ନ ରାଇଜରୁ
ଛାଡି ଅଭିମାନ କଳା
ତୁମ ବିନା ପ୍ରିୟା ନିରବେ ଗୁମୁରେ
ହୃଦୟର ପାନ୍ଥଶାଳା ।
ବିରହ ନିଆଁର ଶୀତଳ ସ୍ଫୁଲିଙ୍ଗ
ଦଗ୍ଧୀଭୁତ କରେ ପ୍ରାଣ
ପାଉଁଶ ତଳେ ମୋ ସ୍ମୃତି ଖୋଜିବାକୁ
ଫଗୁଣ ଦେଇଛି ରାଣ ।
ଶୀତ ବିଞ୍ଚେ ମନେ ବୈଶାଖୀର ଝାଞ୍ଜି
ବସନ୍ତେ ଶ୍ରାବଣୀ ଝଡ଼
ଲୁହ ଭିଜା ରାତି ଲାଗେ ଅସରନ୍ତି
ସୁଖ ଲେଉଟାଏ କଡ଼ ।
ଫେରି ଆସି ତୁମେ ଫେରାଇ ଦିଅ ଗୋ
ମଧୁ ବୋଳା ସେହି ସ୍ପର୍ଶ
ଭୋଗିବାକୁ ଦିଅ କୁଟୀଳ ବନ୍ଧନେ
ପ୍ରୀତି ଛନ୍ଦା କାରାବାସ ।
ହୃଦୟ ପରିଧି ପ୍ରସାରଣ କଲେ
ଅବଶ୍ୟ ପାରିବ ଦେଖି
ପ୍ରେମ ପଞ୍ଜିକାରେ ତୁମ ସହ ମୋର
କୁଣ୍ଡଳୀ ଦେଇଛି ଲେଖି ।
ଜୀବନଟା କେତେ ଦୁର୍ବିସହ ଲାଗେ
ପାରିବନି ତୁମେ ଭାବି
ମନ ଆଇନାରେ ଲୁଚାଇ ଦେଖୁଛି
ତୁମର କଳ୍ପନା ଛବି ।
ଗୋଲକଧନ୍ଦାର ଦୋଛକିର ଦ୍ଵନ୍ଦ
ତୁମକୁ ଛାଡ଼ୁନି ବାଟ
ଫେରି ଆସ ପ୍ରିୟା ନିର୍ବିକାର ପ୍ରାୟେ
ମିଶିଯାଉ ମନ ଫାଟ ।