ପ୍ରିୟାର ଅଭିମାନ
ପ୍ରିୟାର ଅଭିମାନ
ନିଆଁ ଠୁଁ ଶୀତଳ କଣ୍ଟା ଠୁଁ କଅଁଳ
ପ୍ରିୟା ତୋର ଅଭିମାନ
ତୋ ମନ ଖାତାକୁ ପଢ଼ି ବୁଝିବାକୁ
ନିଅଣ୍ଟ ମୋ ରାତିଦିନ ।
କେଉଁ ଭାବନାରେ ହଜାଇଛୁ ମନ
ଖୋଲି କହ ଥରେ ମୋତେ
ଯଦି ବା ସାମର୍ଥ୍ୟ ଥାଏ ପାରିଜାତ
ସମର୍ପିବି ତୋର ହାତେ ।
ଯେବେ ପ୍ରିୟା ତୁହି ଅଭିମାନେ ରହି
ମୁହଁକୁ ଫୁଲାଉ ବେଶି
ମୋ ପ୍ରେମ ଆକାଶେ ବିକଳ ବରଷେ
ଗ୍ରହଣ ଆକ୍ରାନ୍ତ ଶଶୀ ।
ଋତୁ ସମ୍ଭାରଟା ଯାଇଛି ଅଟକି
ଫଗୁଣ ହେଇଛି ଠିଆ
କୋକିଳର କୁଞ୍ଜେ ନିଝୁମ ଗରଜେ
ରୁଷିଛୁ ବୋଲି ଗୋ ପ୍ରିୟା ।
ଫୁଲ ପରି ମନ କରୁଛୁ ଦହନ
ଅଭିମାନେ ଜଳି ଜଳି
କୋହରେ ବତୁରି ଆଖିର ଅଞ୍ଜନ
ଓଠରେ ହେଲାଣି ବୋଳି ।
ମଧୁମାଳତୀରୁ ସୁବାସ ହଜିଛି
ପାଖୁଡ଼ାରେ ନାହିଁ ରଙ୍ଗ
ତୋ ଛାତି କୋହରେ ଦୁଲୁକଇ ମେଘ
ସାଗରେ ଉଠେ ତରଙ୍ଗ ।
ପ୍ରୀତି ରସ ବାସ ଆଦର ଆଶ୍ଲେଶ
କରି ନାହିଁ କେବେ ଉଣା
କେଉଁଠି ହଜିଲା ତୋ ଓଠର ହସ
ପାଉନି ଖୋଜି ଠିକଣା ।
ଆସି ମୋର ପାଶ ମୋ ଅଙ୍କରେ ବସ
ମନ୍ଦହାସ ରଖି ଓଠେ
ମଧୁର ଚୁମ୍ବନେ ରଙ୍ଗର ଜୁଆର
ଉଠିବ ପରାଚୀ ତୁଠେ ।
ମନ ଗହନର ଅକୁହା ସଂଳାପ
ଧୀରେ ଦେବି କାନେ କହି
ଅଳପ ଲାଜରେ କଟାକ୍ଷ ଚାହାଣି
ଯିବ ଆପେ ଆପେ ନଇଁ ।
କହ ସୁକୁମାରୀ ଚିତ୍ତ ଥୟ କରି
ଅଭିମାନର ଉଦ୍ଧିଷ୍ଟ
ପ୍ରୀତିବୋଳା ଲଗ୍ନ ହେଲାଣି ଉଛନ
କଟିଯାଉ ରୋଷ ରିଷ୍ଟ ।