ଏକ ରାଜକୁମାରୀ
ଏକ ରାଜକୁମାରୀ
ରାଜହଂସ ପଛେ ଧାଉଁଥିଲା ଏକ ରାଜକୁମାରୀ
ତା' ରୂପ ଆଗରେ ଫିକା ପଡ଼ିଯିବ ସରଗପରୀ ।
ଚତୁରୀ ଲଳନା ନ ଜାଣେ ଛଳନା କଅଁଳ କହି
ମଧୁ ବଚନରେ ଅଳପେ ନିଏ ମନକୁ ମୋହି ।
ବିଦୁଷୀ ଚଞ୍ଚଳ ଗମନା ଅଟେ କର୍ମ ପ୍ରବୀଣା
ମନ୍ଦ ହାସି ମୀନନୟନା ସର୍ବଗୁଣସମ୍ପନ୍ନା ।
ଦୟାବତୀ ଅତି ସୁଶୀଳା ଚନ୍ଦ୍ରାନନା ଚପଳା
ଦର୍ଶନେ ପ୍ରସନ୍ନ ହୋଇବେ ନିଶ୍ଚେ ଉମାଙ୍କ ବଳା ।
କଳିଙ୍ଗ ସାଧବ ପୁଅଟି ଦେଲା ସେ କନ୍ୟା ଦେଖି
ଚିତ୍ତରେ ତା' ଚିତ୍ରପଟଟି ଯେହ୍ନେ ରହିଲା ଲାଖି ।
ଜଣାଇଲା ମର୍ମ ବାରତା ଲେଖି ଚିଟାଉ ଏକ
ଭାବ ଦିଆନିଆ ଚାଲିଲା ଜାଣିଲେ ପାଖ ଲୋକ ।
ବହୁ ଘାତ ପ୍ରତିଘାତ ଓ ପ୍ରତୀକ୍ଷାର ଶେଷରେ
ସାଧବ ପୁଅକୁ ବରିଲା ରାଜାଝିଅ ଆଶରେ ।
ଗୋଟିଏ ବୃନ୍ତର ଦୁଇଟି ଫୁଲ ଦୁଇଟି ମୋତି
ଗୁରୁକୃପା ବିଭୁକୃପାରୁ ଦିନ ଯାଉଛି ବିତି ।
ସୁନାଝିଅ ସୁନାବୋହୂ ସେ ମୋର ଭାଉଜରାଣୀ
ତା' ଜନ୍ମ ଦିନରେ ଆଶିଷ ଦିଏ ନିଜର ମଣି ।
ଦୃଢ଼ ମନୋବଳ ଧଇର୍ଯ୍ୟ ଯାଚି ଦିଅନ୍ତୁ ଗୁରୁ
ବିଭୁ କରୁଣାରୁ କୁଶଳେ ବାକି ଜୀବନ ସରୁ ।