ଝଡ଼ ପୂର୍ବ ନୀରବତା
ଝଡ଼ ପୂର୍ବ ନୀରବତା
ଏଇ ଏବେ ଏବେ,
ସତେ ଯେମିତି କେହିଜଣେ
ପ୍ରକୃତିକୁ କାଲୁଆ ଇଂଜେକସନ ଦେଇଗଲା,
ନହେଲେ, ଏତେ ଚଳଚଞ୍ଚଳ ଦେହଟା କ'ଣ
ଏମିତି ହଠାତ ଶିଥିଳ ହୋଇଯାନ୍ତା, ଠିକ୍
ସେଇ ଅସ୍ତ୍ରୋପଚାର ହେବାକୁ ଥିବା ରୋଗୀଟେ ପରି;
ନଡ଼୍ ଚଡ଼୍ , ଖଟ୍ ମଟ୍ କିଛି ନାହିଁ,
ଏକାଥରକେ ସବୁ କିଛି ସ୍ଥିର, ସବୁ କିଛି ସ୍ଥାଣୁ ।
ଏସବୁ ଗୋଟା ପଣେ କେମିତି ଗୋଟାଏ,
ପୂର୍ବାଭାଷ ପରି ଜଣା ପଡ଼େ,
ନା ପକ୍ଷୀ ବାହୁଡ଼େ,
ନା ଆକାଶ ଛିଡ଼େ,
ନା ଗାଈଗୋରୁ ରଢ଼େ,
ନା ପଥିକ ବାଟ ହୁଡ଼େ,
ନା ବଣ ପୋଡ଼େ,
ନା ଧୂଆଁ -ପାଉଁଶ ଉଡ଼େ
ଗୋଟା ପଣେ କେମିତି ଗୋଟାଏ
ପୂର୍ବାଭାଷ ପରି ଜଣା ପଡ଼େ ।
ଆଉ ଏହି ଭିତରେ ପୁଣି
ପକ୍ଷୀଟିଏ, କ୍ଳାନ୍ତ ଆକାଶର ଛାତିରେ
ନିଜ ପଞ୍ଝାର ସ୍ବାକ୍ଷର ଛାଡ଼ି ଦେଇ,
ଚି ଚି ନାଦରେ,ନୀଡ଼କୁ ଯାହା ବୋହି ଆଣେ,
ତାହା ହିଁ ତ ନୀରବତା, ଆଉ
ତୁମ ଆସିବା ବି
କେଉଁ ଝଡ଼ଠୁ କମ୍ ଯେ ।

