ପାର୍ବଣର ଋତୁ ଆସିଲାଣି
ପାର୍ବଣର ଋତୁ ଆସିଲାଣି
ପାର୍ବଣର ଋତୁ ଆସିଲାଣି ଏବେ
ସଜେଇ ହେଲାଣି ଧରା
ସୁନୀଳ ଆକାଶେ ଶରତ ଜହ୍ନଟା
ଦିଶିଲାଣି ଭାରି ତୋରା ।
ନଇକୂଳେ ଫୁଟି କାଶତଣ୍ଡି ଫୁଲ
ଖୁସିମନେ ଝୁମିଲାଣି
ଦୂର ଆକାଶକୁ ପକ୍ଷୀଗଲେ ଉଡି
କଳରବ ଶୁଭିଲାଣି ।
ଆସିବେ ଧରାକୁ ଭୂବନମୋହିନୀ
ମଣ୍ଡପ ହେଲାଣି ସଜା
ଗାଆଁଠୁ ସହର ଉତ୍ସବ ମୂଖର
ବାଜି ଉଠିଲାଣି ବାଜା ।
ତୁମର ଆଶିଷ ଢ଼ାଳିଦିଅ ମାଆ
ଶାନ୍ତିଭରୁ ଧରଣୀରେ
ଅଶାନ୍ତି ଅନ୍ୟାୟ ଈର୍ଷା ହିଂସା ଭାବ
ଅପସରି ଯାଉ ଧିରେ ।
ସୁନ୍ଦର ଶାଳିନୀ ସବୁଜ ଧରଣୀ
ଆଶ୍ଵିନରେ ହସିଲାଣି
ମାଆ ଆଗମନେ ସ୍ଵାଗତ ପାଇଁକି
ଫୁଲହାଟ ବସିଲାଣି ।
ସ୍ୱଚ୍ଛ ନିରିମଳ ନଦୀ ନାଳ ଜଳ
ଶରତ ଋତୁରେ ଦିଶେ
ଆକାଶ ଛାତିରେ ତାରାଗଣ ମେଳେ
ତୋଫା ଜହ୍ନ ଉଇଁ ହସେ ।
ଦଶହରା ପର୍ବ ଗଜଲକ୍ଷ୍ମୀ ପୂଜା
ଆସିଲେ ଆନନ୍ଦ ଲାଗେ
କୁମାର ପୂର୍ଣ୍ଣମୀ କୁଆଁରୀ ମାନଙ୍କ
ମନେ ନୂଆ ଆଶା ଜାଗେ ।
