STORYMIRROR

Dr Baman Chandra Dixit

Tragedy

4  

Dr Baman Chandra Dixit

Tragedy

ତଥାପି ଜୀବନ

ତଥାପି ଜୀବନ

1 min
177


  

ବକଟେ ସଞ୍ଜ ସଳିତା ପରି ଏ

ଜୀବନ ଜଳୁଛି ଏଠି,

ନୁଖୁରା ନୁଖୁରା ଶୁଖିଲା ଦେହରେ

ଅଳପ ତଇଳ ମାଖି।।


ଇନ୍ଧନ ସନ୍ଧାନେ ଅନେକ ଯତନେ

ବଢ଼େଇ ବଢ଼େଇ ହାତ,

ପ୍ରୟାସ ସମସ୍ତ ନିସ୍ତେଜ ଆହତ

କିଞ୍ଚିତ ତୃପ୍ତି ମାତ୍ର।

ବଞ୍ଚିତ ବାଞ୍ଛା ସଞ୍ଚିତ ଇଚ୍ଛା

ତଥାପି ରହିଛି ଲାଖି।।


ପିଞ୍ଜରା-ବଦ୍ଧ ବିହଙ୍ଗ ନିଃସଙ୍ଗ

ଦୁଆର ରହିଛି ଖୋଲା,

ଉଡ଼ି ଯିବା ପାଇଁ ଆକାଶ ଉନ୍ମୁକ୍ତ

ମନରେ ଝୁଲୁଛି ତାଲା।

ନିଜେ ବାଛିଥିଲି ନିଜ ଚଲାପଥ

ଆଜି ପାରୁନି ମୁରୁଛି।।


ଯାହା ବି ସମ୍ବଳ ଥିଲା ଜୀବିକାର

ଆଜି ସେ ହେଲା ସପନ,

ଫେରି ପାଇବାର ଆଶା ନିରନ୍ତର

ହୋଇ ହୋଇ ଯାଏ କ୍ଷୀଣ।

ଚିହ୍ନା ସମୟର ଅଚିହ୍ନା ଚାହାଣୀ

ଆଖି ମୋ ପାରୁଛି ଦେଖି।।


ଅଣ୍ଟିରେ ଖେଞ୍ଚି ଗୁଞ୍ଜି ରଖିଥିଲି

ଖୁଚୁରା ପଇସା କିଛି,

ଯାହା ପାଇଁ ସଞ୍ଚି ରଖିଥିଲି ଯାହା

ମୂଲ କେତେ ପଚାରୁଛି।

ଯେତେ ବୁଝେଇଲେ ଆଜି ମୁଁ ଆଜିକୁ

ରହିଯାଏ କିଛି ବାକି।।


ତଥାପି ଚେଇଁଛି ଆଖି ପତା ଟେକି

ଜୀଇଁବାର ଆଶା ନେଇ,

ଦିକି ଦିକି ଜଳେ ଜୀବନ ସଳିତା

ପାଉଁଶ ସାଜିବା ପାଇଁ।

ତଥାପି ହାରିନି କଦାପି ଡରିନି

ଜୀବନ ଆଜି ବି ବାକି।।

***********************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy