STORYMIRROR

Upendra prasad Mahala

Romance Tragedy

3  

Upendra prasad Mahala

Romance Tragedy

ଶୂନ୍ୟ ଛାୟ।

ଶୂନ୍ୟ ଛାୟ।

1 min
215



କେମିତି ଭୁଲି ପାରିବି ସେ ରାତି
ନିର୍ଜନତା ଭାଙ୍ଗୁଥିଲା ନଈର ଗର୍ଜନ
ଜଗି ବସିଥିଲି ଘାଟ ଏକାଏକା, 
ଚାହିଁଥିଲି କାଳେ ଫେରିଆସିବ
ଧର୍ମ ନାଆ, ପାରିହୋଇ ଯିବି 
ତାଳଗଛ ଛାଇ ପରି ଲମ୍ବିଥିବା
ଶୂନ୍ୟଛାୟା ଫୁଲବଗିଚାକୁ
ଖୋଜିବାକୁ ପ୍ରାଣ ସଞ୍ଜୀବନୀ  !!

କେମତି ଭୁଲିପାରିବି ସେ ରାତି !!
ଜୀବନ-ମରଣର ସନ୍ଧିକ୍ଷଣ !!
ନଈକୂଳେ ଅଟକି ରହିଥିଲା ପାଦ 
ଛାତିରୁ ଝରିଥିଲା କେତେ ରକ୍ତ !
ବିକଳରେ ଉଡାଇ ଦେଇଥିଲି 
ଆଶାର ପ୍ରଜାପତିଦଳକୁ 
ନଈ ସେପାଖକୁ, କାଳେ ଶୋଷି
ଆଣିବେ ଦୃଶ୍ୟଛାୟା ଫୁଲରୁ 
ଟୋପାଏ ଅମୃତ ମଧୁ !

କେମିତି ଭୁଲିବି ସେ ରାତି !!
ବୃଥାରେ ହାତଯୋଡି କାକୁତି 
କରୁଥିଲି ଅବୁଝା ନଈ, ଧର୍ମ ନାଆକୁ ।
ଥରି ଉଠୁଥିଲା ଦେହ। ବନ୍ଧକୁ ଡେଇଁ
ପଡୁଥିଲା ପାଣି, ଉଛୁଳୁଥିଲା ନଈ।
ତାରା ଆଲୁଅରେ ଚମକୁଥିଲା
ଢେଉଙ୍କ  କୁଂଚକୁଂଚ ପଣତ ।
ଅଳସ ଭାଂଗୁଥିଲା ଶୋଇରହି
ଛାୟାପଥ ଭଳି ଛାଇଟିଏ ।
ସପଟେ ଶୂନ୍ୟଛାୟାର ଫୁଲବଣ 
କେବେ ସ୍ପଷ୍ଟ ପୁଣି ଅସ୍ପଷ୍ଟ ।।

ଭାବୁଥିଲି ବସି ଏମିତି ରାତିରେ
ତୁମେ ପଣତ ପାତି କେମିତି ତୋଳି 
ଆଣୁଥିଲ ତାରାଫୁଲ। କହୁଥିଲ
' ଏସବୁ ମୋର, ମୁଁ ଖାଲି ତୁମର।'
ଆକାଶରେ କେବେ କେବେ 
କଳାମେଘ ଦେଖି ଇର୍ଷାକରି କହୁଥିଲ,
'ଗେଂଜିଦିଅନା ଫୁଲଟି ତା ଗଭାରେ, 
ସେ ହୋଇଯିବ ତୁମର !!'
ବିଶ୍ବାସ କରୁ ନ ଥିଲି, କେମିତି
ଖେଳୁଥିଲ ଏତେ ମିଠା ସପନରେ 
ମେଘ ଓ ତାରାଙ୍କ ସହ !!
 
କେମିତି ଭୁଲିବି ଆଜିର ରାତିକୁ !!
ଶୂନ୍ୟଛାୟା କାହା ଜୀବନ କି ଆତ୍ମାର
ଛବି ନୁହେଁ। ଏକ ମାୟା, ବହୁରୂପା।
ଦେହ ସହ ଚାଲିଥାଏ ନିରନ୍ତର । 
ମଧ୍ୟାହ୍ନରେ କ୍ଷଣେ ଉଭେଇ 
ଆଖିରେ ମାୟା ଲଗାଏ ।
କାହାକୁ ଦେଇନି ତ ସେ ଜୀବନ 
ଖାଲି ଏକ ଶୂନ୍ୟ ଆଶ୍ବାସନା !!
କେମିତି ବୁଝନ୍ତା ସେ ପ୍ରାର୍ଥନା ସ୍ବର।

ପାର୍ଥୀବ ନଈସୁଅ ଭାରି ଅମାନିଆ, 
ନିୟତ ଭସାଇ ନିଏ ସମୟକୁ ।

ସେତେବେଳକୁ ବାହୁଡି ନ ଥିଲେ
ପ୍ରଜାପତିଦଳ, ଫେରି ନ ଥିଲା ନାଆ।
ପୂବାଶାରେ କିଏ ସିନ୍ଦୁର ବୋଳୁଥିଲା,
ଅବେଳେ ଉଭେଇ ଯାଇଥିଲା ଶୂନ୍ୟଛାୟା।
ରିକ୍ତ ହସ୍ତେ ଫେରିଥିଲି ଘାଟରୁ ।

ତୁମ ଲାଗି ଦରଦୀ କଳାମେଘ ନଇଁ 
ଆସିଥିଲା ଆକାଶରୁ ମାଟିଯାଏ, 
ଆଖିରୁ ଢାଳିଥିଲା ଧାରଧାର ଲୁହ।
ତୁମ ଆଖିରେ ଭରି ରହିଥିଲା 
ରହସ୍ୟମୟ ଶୂନ୍ୟଛାୟା
ରଂଗର ବହଳ ନିଦ।
କେମିତି ଭୁଲିବି ଜୀବନର ସ୍ରୋତ
ନିୟତ ଛୁଉଁଛି ସାଗର। ଯେଉଁଠି 
ପାର୍ଥୀବ ଦେହର ଆତ୍ମା ଲୁଚିଯାଏ 
ଶୂନ୍ୟଛାୟା ସାଜି ସବୁଦିନ ।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance