ଫାଶେ ପଡିଛି ନିଶ୍ବାସ
ଫାଶେ ପଡିଛି ନିଶ୍ବାସ
କେତେ ଯେ ଖସିବେ କେତେ ଯେ ଫସିବେ
ହିସାବ କରୁଛ ବସି
ମହାମାରୀ ମହାଜାଲର ମାୟାକୁ
ମାଳିକାରେ ଦେଲ କଷି ।।
ସଭିଙ୍କୁ ପିଞ୍ଜୁଛ ପିଞ୍ଜରାରେ ରଖି
ଭଜିବାକୁ ଜୀବ ବ୍ରହ୍ମ
ପଞ୍ଜୁରୀର ଶୁଆ ପାଉନାହିଁ ରାହା
କାଳ ବି ହୋଇଛି ବାମ ।।
ଭିକାରୀକୁ ଭିକ ମୁଠିଏ ମିଳୁନି
ସଭିଏଁ ଭିକାରୀ ଏଠି
ନିଶ୍ବାସକୁ ଆଉ ବିଶ୍ବାସେ ନେଲନି
ମୁହେଁ ବାନ୍ଧିଦେଲ ପଟି ।।
କଞ୍ଚା ପାଚିଲାକୁ କଲ ଏକାକାର
ମଶାଣି ଧରୁନି ଶବ
ଶୂନ୍ଯଗଣ୍ଠି ପୁଣି ପକାଇଲ ନେତେ
କି ବିଚିତ୍ର ତୁମ ଭାବ ।।
ବାର ହାତ ଖଣ୍ଡା ଏହି କି ତୁମର
ହାତେ ହାତ ଦେଲ ବିଷ
କେମିତି ବିନ୍ଧାଣି ବିନ୍ଧିଅଛ ଟାଣି
ଫାଶେ ପଡିଛି ନିଶ୍ବାସ ।।
ସତକୁ ସ୍ବାଧୀନ ମିଛ ପରାଧୀନ
ଅଧିନ ଏ ଜୀବ ତୁମ୍ଭ
ଭଣଇ ଅଜ୍ଞାନ ତୋ ପାଦେ ଶରଣ
ଦିଅ ପ୍ରଭୁ ପଦ୍ମନାଭ ।।