କେମିତି ଆସିଛୁ ମାଆ
କେମିତି ଆସିଛୁ ମାଆ
କେଉଁଠି ଲାଗିଛି ନାଇଟ୍ କର୍ଫ୍ଯୁ
କେଉଁଠି ଶହେ ଚୌରାଳିଶି
କେମିତି ଆସିଛ କୁହ ଦୟାମୟୀ
ନାହିଁ କା'ମନରେ ଖୁସି ।
କେଉଁଠି ବେଢିଛି କଣ୍ଟେନମେଣ୍ଟ୍
କେଉଁଠି ସର୍ଭେଲାନ୍ସ
ଦଶ'ରା ପସରା ସବୁତ ବେସୁରା
ଚାରିଆଡେ ସାଇଲେନ୍ସ ।
ପଡିଛି ପରଦା ତୋ ନେତ୍ରରେ ସଦା
ସୂରୁଯ ପାରୁନି ଦେଖି
ମୁଁ ଛାର ମାନବ ପାରିବି କି ତବ
ଶ୍ରୀଚରଣେ ମଥା ରଖି ।
ମାଆ କାତ୍ଯାୟନୀ କଳୁଷ ନାଶିନୀ
ଶକ୍ତି ରୂପେଣୀ ଦୁର୍ଗା
ଆସିଅଛୁ ମାଆ ଏ ଧରା ଧାମକୁ
କି ବର୍ଣିବି ମୁଁ ଅଭାଗା ।
ଶୁଭୁନାହିଁ ଭେରୀ ଶୁଭୁନାହିଁ ତୂରୀ
ଶୁଭୁନି ଓଁ କାର ଧ୍ବନି
ନୀରବ ନିଃଶ୍ଚଳ ଏ ଶରତ କାଳ
ଗ୍ରାସିଛି କି ରାହୁ ଶନି ?
ଶରତ ଆକାଶେ ଶାରଦୀୟ ଜହ୍ନ
ନାହିଁ ତା ଓଠରେ ହସ
ସ୍ନିଗ୍ଧ ଶୀତଳ ସମୀର ପରଶେ
କେ' ଭରିଦେଇଛି ଶ୍ଳେଷ ?
ନାହିଁ ଘଣ୍ଟ ଘଣ୍ଟା ନାହିଁ ହୁଳୁହୁଳି
ନାହିଁ ଭୋଗ ରାଗ ସଜା
ନାହିଁ ଧୂପ ଦୀପ ଚନ୍ଦନ ପ୍ରଲେପ
ନାହିଁ ବାଣ ନାହିଁ ବାଜା ।
ଗଜ ବାହାନେ କି ନାଆ ବାହାନରେ
ହୋଇଛୁ କି ଉପବୀତ
ଅଶାନ୍ତ ଧରଣୀ ଶାନ୍ତ କରିଦେଏ
ଢାଙ୍କି ତୋ ସ୍ନେହ ପଣତ ।
ତୋ ମହା ଅଷ୍ଟମୀ ତୋ ମହା ନବମୀ
ତୋ ମହା ଦଶମୀ ତିଥି
ମହାମାରୀ ମହା କୋପେ ବିଜନିତ
ଶୂନ୍ଯ ତୋ ମଣ୍ଡପ ଆଦି ।
ତୋ ଜନନୀ କୋଳ ଲାଗେ କୋଳାହଳ
ଭକତିର ଜନ ମନ
ସେ ଭକ୍ତି ମଝିରେ ମହାମାରୀ ଶକ୍ତି
ହୋଇଛି ଦଣ୍ଡାୟମାନ ।
ସିଂହ ବାହିନୀ ଦୁର୍ଗତୀ ନାଶିନୀ
କାମ୍ପିଲ୍ଯ ବାସିନୀ ମାଆ
ବିରାଜିତ ହୁଅ ପରାହତ କର
ବ୍ଯାଧି ମହାମାରୀ କାୟା ।
