ଓଡ଼ିଆଣୀ
ଓଡ଼ିଆଣୀ
ଶାବେନି ପାତେଳୀ ହୃଦଭେଦୀ ଚାହାଣୀ
ପିନ୍ଧୁଛି ହାତବୁଣା ସୂତା ଶାଢୀ,
ସିନ୍ଥିରେ ସିନ୍ଦୂର ରଞ୍ଜକ ତା' ତୀର୍ଯ୍ୟକ
ହାତେ ତା'ର ଶଙ୍ଖା ଚୁଡ଼ି I
ସଂସ୍କାରୀ ଗୃହିଣୀ ନୂଆବୋହୁଟିଏ
ମଥାରେ ଓଢଣୀ ଟାଣି,
ପାଦେ ଶୋଭିତ ଅଳତାର ରେଖା
ଚାଲେ ପାଦ ଦୁଇ ଗଣି I
ସକାଳ ହେଲେ କାଉ ରାବେ ଆସି
ପକାଏ ଛିଟା ଗୋବର ପାଣି,
ସକାଳ ସଞ୍ଜରେ ଶୁଭ ମନାସୁଛି
ଗୃହ ଅଗଣାର ତୁଳସୀ ରାଣୀ I
ବାରି ହେଉଥାଏ ପିତୃ ମାତୃ ଶିକ୍ଷା
ବଂଶ ମର୍ଯ୍ୟାଦାର ଠାଣି,
ମନ କହୁଥାଏ ଘରର ଦେବୀ ମୋର
ମାଆ ଠାକୁରାଣୀ I
ଓଡ଼ିଆଣୀ ସ୍ପର୍ଶେ ଶିଶୁଟିଏ ଗୃହେ
ଉଠିପଡି ହୁଏ ଠିଆ,
ଭବିଷ୍ୟତ ପାଇଁ ଅଣ୍ଟା ଭିଡୁଥାଏ
ମାରିବ ସିଏ ତ ଡିଆଁ I
ଦୁଃଖକଷ୍ଟ ସହି ସୂଚାଇ ଦିଏ ସେ
ଅପୂର୍ବ ସାନନ୍ଦ ସୃଷ୍ଟି ହୁଏ ପୁଣି,
ସନ୍ତାନ ପାଇଁ ସେ ଐଶ୍ଵର୍ଯ୍ୟ ଭଣ୍ଡାର
ଉତ୍କଳ ଶ୍ରୀ ଓଡ଼ିଆଣୀ I
ସ୍ନେହମୟୀ ସେ ପ୍ରେମ ପ୍ରଣୟିନୀ
ସେବା, ତ୍ୟାଗେ ଭରା ସର୍ବଂସହା,
ସବୁରି ଅନ୍ତରେ ତା' ଲାଗି ଆସନ
ସର୍ବାଗ୍ରେ ବନ୍ଦନୀୟା ।
