ଅଭାଗିନୀ
ଅଭାଗିନୀ
ଉଦରେ ତୋହର ଆହାର ଦେଇନି,
ଅଳି ଅଝଟ କେମିତି ଜାଣିନି,
ନିଦ ଟଳ ଟଳ ନେତ୍ରେ ,
ଏଣେ ତେଣେ ହାତ ବୁଲେଇ ,
ଓଦା ଓଦା ସର ସର ଜାମା ବଦଳେଇନି,
ଜରାକ୍ରାନ୍ତ ତପ୍ତ ଶରୀରକୁ କୋଳେ ଚାପିଧରି,
ଅପଲକେ ନିଶି ହଜେଇନି ।
ରାତି ଅଧେ ତୋ କୁନି କୁନି ପାଦର ପ୍ରତିଧ୍ୱନିରେ ,
ମୋ ଚାରିକାନ୍ଥ କେବେ ଉଜାଗର ରହିନି,
ତୋ କୋମଳ ଓଷ୍ଠେ ତରଙ୍ଗାୟିତ ହୋଇ ଲୋଟୁଥିବା,
ହାସ୍ୟ ଲହଡିର ସୁମଧୁର ସଙ୍ଗୀତରେ ,
ଚତୁଃପାର୍ଶ୍ଵ ଗୁଞ୍ଜରି ଉଠିନି।
ତଥାପି, ସବୁ ରଜନୀର ସମାଂସ ଅର୍ଦ୍ଧ ନିଦ୍ରା ଗସ୍ତ ଯାଏ,
ପ୍ରତି ଘଣ୍ଟାରେ ତୋ କଅଁଳ ପାପୁଲି ,
ମୋ ମୁଖେ ହାତ ଫେରେଇ ନିଏ,
ଅନୁଭବ କରେ ତୋ ସ୍ପର୍ଶ ପ୍ରତ୍ୟେକଟି ମୁହୂର୍ତ୍ତରେ,
ନିଷ୍କ୍ରିୟତାରେ ଅଣ୍ଡାଳି ହୁଏ ତୋ ଉପସ୍ଥିତି ।
ସତେ ଅବା ପିଠିକୁ ଲାଗି ଶୋଇଛୁ,
ଟିକି ଟିକି ଆଙ୍ଗୁଠିରେ ,
ଛୋଟ ଛୋଟ ହସ୍ତ ଯୋଡିରେ ,
ମତେ ଜାବୁଡି ଧରି ରଖିବାକୁ ଚେଷ୍ଟା କରୁଛୁ,
ଅର୍ଦ୍ଧ ସ୍ପଷ୍ଟ ଭାଷାରେ ମା ମା ଡାକୁଛୁ,
ପଣତ ଧରି ହସୁଛୁ ଖେଳୁଛୁ, ନିଜେ ନିଜେ ଗପୁଛୁ ।
କିନ୍ତୁ ଏ ସବୁ ଯେ ସ୍ୱପ୍ନ ମାତ୍ର,
ଚେଇଁ ଉଠିଲେ ଚକ୍ଷୁ ଆଗେ ଭାସି ଉଠେ କେବଳ ଶୂନ୍ୟତା,
ଡାକ୍ତରଖାନା ଖଟିଆରେ ପଡ଼ିରହି ଦିନ ଗଣୁଥିବା ,
ମୋ ଭଳି କେତୋଟି ହତଭାଗା ଚେହେରାର,
ଦୟା ଗଦ ଗଦ ଚାହାଣି ଓ ନୀରବତା ।