ସ୍ବପ୍ନ ଥିଲା ପ୍ରିୟା ପାଇଁ
ସ୍ବପ୍ନ ଥିଲା ପ୍ରିୟା ପାଇଁ
ଅବୁଝା ମନେଇ ଅଭିମାନୀ ପ୍ରିୟା
ପାଶେ ଥିଲା ଜହ୍ନରାତିରେ ।
ଗେହ୍ଲେଇ ହୋଇସେ କହିଥିଲା ପ୍ରିୟ
ଘର ତୋଳିବା ଜହ୍ନ ଛାତିରେ ।
ଚୁର୍ଣ୍ଣ କୁନ୍ତଳ କୁ ସଜାଡୁ ସଜାଡ଼ୁ
ଦେଖୁଥିଲି ଚାନ୍ଦ ମୁହଁକୁ।
ଲାଜେଇ ପ୍ରିୟାମୋ ଲାଜେ ମୁହଁ ତାର
ପୋତି ଦେଇଥିଲା ତଳକୁ ।
କହିଥିଲି ପ୍ରିୟା ସପନ କୁମାରୀ
ଜହ୍ନରେ ତୋଳିବା ନଅର ।
ସେ ନଅରେ ପ୍ରିୟା ରାଣୀ ତୁୁ ସାଜିବୁ
ରାଜା ସାଜିବି ତୋ ମନର।
ତାରାଫୁଲ ମାନେ ସଜାଇବେ ନିତି
ସପନର ଫୁଲ ଝୁଲଣା ।
ହସୁଥିବ ପ୍ରିୟା ମଧୁଝରା ହସ
ଝରି ପଡିବ ସ୍ବଚ୍ଛ ଝରଣା ।
ମଳୟ ପବନ ବହୁଥିବ ଧିରେ
ଚନ୍ଦନର ବାସ ଆସୁଥିବ ।
ମନ ଉପବନେ ସୁଗନ୍ଧିତ କଳି
ସୁଗନ୍ଧ ବିତରି ଫୁଟୁଥିବ ।
ଝରୁଥିବ ମନେ ବନ ଝରଣାଟି
କୁଳୁକୁଳୁ ନାଦେ ଅବିରତ ।
କୋଇଲି ଗାଇବ କୁହୁକୁହୁ ସ୍ବରେ
ମଧୁର ମୁର୍ଛନା ନିନାଦିତ।
ଏତେ ସ୍ବପ୍ନ ଥିଲା ପ୍ରିୟା ପାଇଁ ମୋର
ଲୁଚି ଗଲା କାହିଁ କେତେ ଦୂରେ ।
ସତେକି ଫେରିବ ଅଭିମାନୀ ପ୍ରିୟା
ସପନକି ସତ ହେବ ଥରେ ।
କାହିଁ କେତେ ଦୂରେ ଜହ୍ନ ଉହାଡ଼ରେ
ଦିଶୁଛି ଲାଜୁଆ ମୁହଁ ତାର ।
ଫେରିଆସି ଥରେ କୁହ ହସି ହସି
ହେବୁନାହିଁ ପ୍ରିୟା ସାତପର ।
ବୁଝି ପାରିବୁନି କେବେ ମନ କଥା
କେତେ ସ୍ବପ୍ନ ଥିଲା ତୋ ପାଇଁ ।
ବୁଝିଥାନ୍ତୁ ଜଦି ଅଭିମାନିନୀ ଗୋ
ସପନଟା ସତ ଥାନ୍ତା ହୋଇ ।

