ଆଉ ଥରେ ଆ ଗୋପପୁର
ଆଉ ଥରେ ଆ ଗୋପପୁର
କେମିତି ବଞ୍ଚିଛି କ'ଣ କରୁଛି
କିପରି କହିବି ତୋତେ
ଉଦ୍ଧବ ମୁଖରୁ ଶୁଣିଲି ତୋ କଥା
ଝୁରି ହେଉ କେତେ ମୋତେ।
ହୃଦୟର ଏ ଶୂନ୍ୟତା କହୁଛି
ଶୁଭୁନି ବଇଁଶୀ ସ୍ୱର
କାହ୍ନା ପ୍ରେମରେ କିମ୍ପାଇ ବିରହୀ
ଶୁଭେ ଅପବାଦ ସ୍ୱର।
ବଇଁଶୀ ସ୍ୱରରେ ରାଧା ରାଧା ଡାକ
ଗୋପରେ ଆଉ ଶୁଭୁନି
ନିଃସଙ୍ଗତା ଏଇ ଜୀବନର ଗାଥା
କାହାକୁ କହି ପାରୁନି।
ମନ ଯମୁନାରେ ଢେ଼ଉ ଉଠୁଅଛି
ପାଉନାହିଁ ଥଳକୂଳ
ନିନ୍ଦା ଅପବାଦ ହେଉଛି ଏଠାରେ
ଦିନକୁ ଦିନ ପ୍ରବଳ।
ସଖୀ ସହଚରୀ ନିତି ପଚାରନ୍ତି
କୁଞ୍ଜବନ ଯିବା ପାଇଁ
ମନା କରିଲେ ବି ଟାଣି ନେଉଛନ୍ତି
ନେତ୍ରରୁ ଲୁହ ଝରଇ।
ପଚାରେ ଯମୁନା ପୁଣି ଗୋପାଙ୍ଗନା
କାହିଁ ଗଲେ ତୋର କାହ୍ନା
ନନ୍ଦ ଯଶୋଦାର ଅଚଳ ଅବସ୍ଥା
ପ୍ରାୟ ସବୁବେଳେ ଆନମନା।
ଧେନୁ ଗୋଷ୍ଠ ମଧ୍ୟେ ହମ୍ବା ରଡ଼ି କଲେ
ସେ ରଡ଼ିରେ ବି କୃଷ୍ଣ ଡାକ
କୃଷ୍ଣମୟ ଏବେ ସାରା ଗୋପପୁର
କୃଷ୍ଣ ଡାକ ବି ଏକ କୁ ଆରେକ।
ମିଳନ ପାଇଁ ଅସରନ୍ତି ଆଶା
ରହିଛି ମନ ମନ୍ଦିରେ
ବିଚ୍ଛେଦ ଯନ୍ତ୍ରଣା କେଡେ କଷ୍ଟକର
ଜାଣୁଛି ଏବେ ହୃଦରେ।
ଶୟନେ ସପନେ କାହ୍ନା ଛବି ଦିଶେ
ମନ ମୋ ଚହଲିଯାଏ
ଯିଏ ଯାହା କହୁଥିଲେ ବି
ଏ ମନ ତୋତେ ଖୋଜୁଥାଏ।
ପ୍ରେମ ପାଗଳି ହୋଇଛିରେ କାହ୍ନା
କେମିତି କହିବି ତୋତେ
ଜୀବନଟା ମୋର ନିଃସଙ୍ଗତାରେ
ଭୁଲି ଗଲୁଣି କି ମୋତେ ।
ଚତୁର୍ଦ୍ଦିଗ ଖାଲି ଦିଶେ କୃଷ୍ଣମୟ
କଲୁ କି ଯାଦୁ ମନ୍ତର
ମୋ ନାମେ ବାଜୁଛି ନିନ୍ଦାର ନାଗରା
କମ୍ପୁଅଛି ଗୋପପୁର।
ତୋ ହୃଦୟ ଭାବନା ବୁଝିଥିଲି ସିନା
ନାହିଁ ମୋର ଅଧିକାର
ଅପେକ୍ଷା କରିବି ମରିବା ପର୍ଯ୍ୟନ୍ତ
ହେଲେ,ବଞ୍ଚିଥିବା ଯାଏଁ ତୋର ।
ଫେରି ଆରେ କାହ୍ନା ଏ ଗୋପପୁରକୁ
କରିନେ ମୋତେ ନିଜର
ସାଥୀ ହୋଇ ରହି ବଞ୍ଚିବାକୁ ଚାହେଁ
ଜନ୍ମ ଜନ୍ମାନ୍ତରେ ତୋର।
ଛାତିରେ ଲଗାଇ ବାହୁ ବନ୍ଧନରେ
ଆଲିଙ୍ଗନ ପାଇଁ ମନ
ଭୁଲି ଗଲୁଣି କି କୁଞ୍ଜବନ କଥା
ମିଳନ ହୃଦ ସ୍ପନ୍ଦନ।
ଆଉଥରେ ପୁଣି ଆରେ କହ୍ନେଇ
ଦେଖିବାକୁ ଗୋପପୁର
ପ୍ରେମ ରଜ୍ଜୁରେ ବାନ୍ଧି ରଖ ମୋତେ
ହୋଇଯିବା ଏକାକାର।
ତୁମ ବିନା ଶ୍ୟାମ ଦଶ ଦିଗ ଶୁନ୍ୟ
ଆତ୍ମା ବିନା ଅଛି ପ୍ରାଣ
ବିଚ୍ଛେଦ ବିରହ ସହି ହେଉନାହିଁ
ଆସ ଆସ ପ୍ରାଣଧନ।

