ଗଛ ଲଗାଇବା
ଗଛ ଲଗାଇବା


ଡାକିଲେ ଜେଜ ନାତି ଟୋକାକୁ
ଆରେ କୁନା ଆ ।
ବଗିଚା ଆଡେ ବୁଲିବା ଟିକେ
ବହୁଛି ଥଣ୍ଡା ବାଆ।
ନାତିକୁ ସାଥେ ଧରିଣ ଜେଜ
ଚାଲିଲେ ବଗିଚାକୁ ।
ବଗିଚା ଯାକ ବୁଲିଦେଖନ୍ତି
ବାଡ଼ିଟା ଠୁକୁ ଠୁକୁ ।
କହିଲା କୁନା ବୁଝିଲ ଜେଜ
ବୟସ ହେଲା ଅଶି ।
ଏହି ବୟସେ ଲଗାଅ ଗଛ
ଗାତ ଖୋଳୁଛ ବସି ।
ପାକୁଆ ପାଟିରେ ଫେଁକି ହସି
କହନ୍ତି ଜେଜ ବୁଢା ।
ସାର ପିଡିଆ ଖାଦ୍ୟ ଖାଇକି
ତୋ ହାଡ ସବୁ ତେଢା ।
ଏଇ ବୟସେ ଅୟସ କଲେ
ସମୟ ବରବାଦ ।
ବେଳ ଥାଉ ଥାଉ ବନ୍ଧ ବାନ୍ଧ
ନହେଲେ ପଛକୁ ଖେଦ ।
<
/p>
ଖାଉଛେ ଯେଉଁ ଗଛର ଫଳ
ଲଗାଇ ନାହୁଁ ଆମେ ।
ବାପା ଜେଜପା ଲଗାଇ ଥିଲେ
ଖାଉଛେ ଅନୁକ୍ରମେ ।
ଗଛ ଆମର ଅତି ନିଜର
ଜୀବନ ଚିର ସାଥୀ ।
ଜୀବନ ସାଥେ ଜଡିତ ରହେ
ହସଇ ବସୁମତୀ ।
ଫୁଲ ଓ ଫଳ ଖାଦ୍ୟକୁ ଜାଳ
ମାଟି କୁ ସଂରକ୍ଷଣ ।
ପ୍ରଶ୍ୱାସ ବାୟୁ ନେଉଛେ ଆମେ
ବିଶୁଦ୍ଧ ଅମ୍ଳଜାନ ।
ଖରା ଦାଉରୁ କରଇ ରକ୍ଷା
ବର୍ଷାରୁ କରେ ରକ୍ଷା ।
ବିହଙ୍ଗଙ୍କର ଆଶ୍ରୟସ୍ଥଳ
ମନେ ନଥାଏ ଶଙ୍କା ।
ଗଛ ଗୋଟିଏ ପୋତିବୁ ଯଦି
ଶେଷ ବେଳର ସାଥୀ ।
ବୃକ୍ଷ ରୋପଣ ମହତ କର୍ମ
ଶ୍ରମେ ବେଦନା ନାସ୍ତି ।