ଶରତର ଆଗମନ
ଶରତର ଆଗମନ


ଚାରୁସୁହାସିନୀ ସୁନ୍ଦର ଅବନୀ
ପରେ କରୁ ଆଗମନ
ପ୍ରକୃତି ରାଣୀର ସୁକୁମାରୀ କନ୍ଯା
ଶରତ ନାମେ ଗଣନା ।
ସାଥେ ନେଇଆସୁ ଅପରୂପ ଶୋଭା
ନିର୍ମଳ ସୁନ୍ଦର ଧରା
ସୁଖରେ ଜୀବନ କାଟନ୍ତି ପ୍ରାଣୀଏ
ନଥାଏ ବରଷା ଖରା ।
ପୁଷ୍କରିଣୀ ଜଳ ଅତିବ ନିର୍ମଳ
ଦଣ୍ଡିକିରି ଖେଳେ ଜଳେ
ତିକ୍ଷ୍ଣ ନଜରରେ ଚାହିଁଛି ଛଞ୍ଚାଣ
ସୁନୀଳ ଆକାଶ କୋଳେ ।
କାଶତଣ୍ଡି ଫୁଲ ଚାମର ଢାଳୁଛି
ଶରତର ଆଗମନେ
ବିଲ ଗହୀରରେ ଧାନ ଫୁଲ ଖେଳେ
ଶୀତଳ ସମୀର ତାନେ ।
ମହିଷା ମର୍ଦ୍ଦିନୀ ଦୁର୍ଗତି ନାସିନୀ
ବିଜେ ହେବେ ମଣ୍ଡପରେ
ମାତା ଆଗମନେ ହସୁ ଅଛି ଧରା
ଘଣ୍ଟ ଘଣ୍ଟା ଶବଦରେ ।
ଆଶ୍ବିନ ଆସିଛି ଫୁଲେଇ ଜହ୍ନଟା
ହସେ ଜହ୍ନୀ ଫୁଲ ମେଳେ
ଫୁଲ ପକାଉଛି ଅନୁଢ଼ା କୁମାରୀ
ତୁଳସୀ ଚଉରା ମୂଳେ ।
ଆସିଛି ଶରତ ନିର୍ମଳ ଜଗତ
ଆନନ୍ଦ ସବୁରି ମନ
ଦେବୀ ଦଶଭୂଜା ସୁଦୟା କରିବେ
ରିଷ୍ଟ ହୋଇବ ଖଣ୍ଡନ ।