STORYMIRROR

Manas Ranjan Nayak

Romance Classics

4  

Manas Ranjan Nayak

Romance Classics

ତୁମେ ନାହଁ

ତୁମେ ନାହଁ

1 min
409

ଥିବା ନଥିବା, ହେବା ନହେବା,

ଯିବା ନଯିବା, କିଛି ଫରକ୍ ପଡେନି

ହେଲେ ଯେବେଠୁ ତୁମେ ଗଲଣି,

କୋଇଲିର ଆଉ କାହିଁ କୁହୁ ଶୁଭେନି ।


ପହଁରୁଛି ପାରିବା ପଣେ,

ଭାସି ବୁଡି ସମୟର ଉଜାଣି ସୁଅରେ

ତୁମ ନଥିବାର ଅଭାବୀ ପ୍ରତ୍ଯୟ,

ନିତି ଭାଙ୍ଗୁଛି ଦୁର୍ଗ ମୋ ଭିତରେ। 


ସମ୍ପର୍କ ଲମ୍ବୁଥାଏ ସଂସାରରୁ ସମାଜକୁ,

ସ୍ବାର୍ଥର ଆଙ୍କୁଡା ଦେଇ

ତୁମେ ହିଁ ଓଜାଡ ନିଜ ଭାଗ ସୁଖ,

ସହଭାଗିତାର ଆଳ ଦେଖେଇ ।


ଭାଙ୍ଗୁଛି ଗଢୁଛି ସ୍ବପ୍ନର ନଅର

ବାସ୍ତବିକତାର ବାତାୟନ ତୋଳି

ତୁମ ପ୍ରୀତିପଦ୍ମ ସ୍ନିଗ୍ଧ ପରଶେ

ଜୀବନପାତ୍ର ମୋ ଯାଇଛି ଉଛୁଳି। 


ବଢୁଛି ବୟସ, ଛିଣ୍ଡୁଛି ଆୟୁଷ

ସରୁନି ମୋ ଜୀବନ ବର୍ଣ୍ଣବୋଧ

ତୁମ ଦୃଷ୍ଟିକୋଣେ ସବୁ ସାବଲୀଳ,

ଯେତେ କୋହ ମୋହର ଭାବବୋଧ ।


ମନ ମନାନ୍ତର, ମତ ମତାନ୍ତର,

ମୌସୁମୀ ପରି ଯାଏ କି ବଦଳି

ଭଲପାଇବାର ଗୋଲାପୀ ବେଳାରେ

ସ୍ମୃତି ଲତା କି ଗୋ ଗଲା ମଉଳି ।


ସ୍ବନକ୍ଷତ୍ରେ ତୁମ ଢାଳୁଛି ଆଶିଷ,

ଗାଉଛି ଆମ ଦାମ୍ପତ୍ୟ ସଙ୍ଗୀତ

ଦୂରେଥାଇ ତୁମେ ସ୍ବର ମିଳାଇବ,

ଶରତ ହେବ ପ୍ରୀତିସୁରଭିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance