ପ୍ରତୀକ୍ଷିତ ପ୍ରେୟସୀ
ପ୍ରତୀକ୍ଷିତ ପ୍ରେୟସୀ
ତୁମେ ଫେରିବାର ମଧୁ ବସନ୍ତ
କରେ ପ୍ରାଣକୁ ପୁଲକିତ
ଆବେଗର ବନ୍ଯା ଏବେ ବନ୍ଧ ବାଡ
ଭାଙ୍ଗିବାରେ ବିଚଳିତ।
ତୁମ ଅଭାବପଣେ ଜୀବନେ
ଦିକି ଦିକି ହୋଇ ଜଳୁଥିଲି
ଜିଉଥିଲି ସିନା, ଜୀବନର
ଆଶ୍ଲେଷ ଟିକକ ଭୁଲୁଥିଲି।
ଦାମ୍ପତ୍ୟ ଦୁଆତେ ଦିନେ
ସହଭାଗୀତାର ସ୍ଯାହି ଭରୁଥିଲେ
ଦୁଇହଳ ଆଖିରେ ପରିପୂରକତାର
ପାଠ ପଢୁଥିଲେ।
ସ୍ବୟଂପୁଷ୍ଟ ହେବାକୁ ହିଁ ନିତି
ମୋତେ ଦେଉଥିଲ ପ୍ରବର୍ତ୍ତନା
ନବୁଝି ହୁଁ ମାରୁଥିଲି, ବିରହକୁ କିବା
କିଏ କରିବ କାମନା ?
ଏକାକୀତ୍ବକୁ ସ୍ବାଧୀନତାର
ଆକାଂକ୍ଷିତ ମନ୍ତ୍ର ବୁଝୁଥିଲି
ତୁମ ଅନୁପସ୍ଥିତିରେ ଅୟୁତ
ଉନ୍ମାଦକୁ ବି ପାଛୋଟିଲି।
ନଥିଲା କେଉଁଠି ନିରୁତା
ଆତ୍ମୀୟତାର ଆଭାଷ ଟିକିଏ
ବିଜ୍ଞାନ ବିଜ୍ଞତାରେ ବିଜ୍ଞାପିତ ଏଠି,
ଆହାଃ ରୁ ଉହୁଃ ଟିଏ।
ପ୍ରେମ ବେଉଷଣେ ପ୍ରାପ୍ତି
ଅମଳର ଲାଗିଛି ପ୍ରତିଦ୍ବନ୍ଦିତା
ତ୍ଯାଗ ତିତିକ୍ଷାରେ ସମର୍ପିତା
ପ୍ରେୟସୀ ହୁଏ ଉପେକ୍ଷିତା!