ନୀଳ ସ୍ୟାହି ନାଲି ଲଫାପା
ନୀଳ ସ୍ୟାହି ନାଲି ଲଫାପା
ତାକୁ ମୋର ଅପେକ୍ଷା ଥିଲା
ଅସୀମ କୌତୁହଳ ,ଉଦ୍ଦୀପନା ସହ
ଆବେଗ ଭର୍ତ୍ତୀ ହୃଦୟ ନେଇ
ସବୁ କାମକୁ ପଛ କରି
ଦାଣ୍ଡ ଦୁଆର ମୁହଁକୁ ଦଉଡ଼ି ଯାଉଥିଲି
ପ୍ରତିଦିନ
ପରିଚିତ ସାଇକେଲ ଘଣ୍ଟି ଶବ୍ଦ ଶୁଣି।
ସବୁଦିନ ନାସ୍ତି ବାଣୀ
ମୋ ମନକୁ ଫଟେଇ
ଖଟା କରୁଥିଲା
ଅଭିମାନୀ ପ୍ରେମିକା ମନଟି
ଅଭିଯୋଗ ବାଢୁଥିଲା ନିଃଶବ୍ଦେ
ତୁମେ ଭାରି ଇଏ
ମୋତେ ଭୁଲି ଯାଇଛ ଟି !
ହେଉ ଯା ! ଏଇଥର
ଦେଖା ହେଲେ କଥା ହେବିନି ଜମା
ହେଇ ଦେଖ କଟି କଟି କଟି
ଏମିତି ଛାତକୁ ଚାହିଁ
ବାରବାର କରଲେଉଟାଇ
ଦୀର୍ଘଶ୍ଵାସ ଛାଡି କହୁଥିଲି।
ଜାଣି ଥିଲି ଆଜି ବି ଆସି ନଥିବ
ତଥାପି କେଉଁ ଗୋଟେ
ଅଦ୍ଭୁତ ଆକର୍ଷଣ
ମୋତେ ଓଟାରି ନେଉଥିଲା
ଦାଣ୍ଡ ଦୁଆର ମୁହଁକୁ
କାନ ଡେରୁଥିଲି
ଚିର ଅଭ୍ୟସ୍ତ ସାଇକେଲ ଘଣ୍ଟି ଶବ୍ଦକୁ।
ଅପେକ୍ଷା କରି କରି
ଝାଉଁଳି ଗଲା ଛନ ଛନିଆଁ ମନ
ନିଜ ମନକୁ ଥାପୁଡ଼େଇ
ବୁଝେଇ ଦେଲି
ନ ମିଳିବା ଚିଜରେ ଆସକ୍ତି
ଅବସାଦ ଗ୍ରସ୍ତ ଜୀବନ ଉପହାର ଦେବ
ସେ ଯଦି ତୋ କଥା ଭାବୁନି
ତୁ କାଇଁ ଏମିତି ଉପରେ ପଡୁଛୁ!
ପ୍ରେମ ପରା ତରାଜୁର ଦୁଇ ପଲା।
ହଠାତ୍ ଦିନେ ସେ ଆସିଲା
ମୋତେ ଭୁଲ୍ ପ୍ରମାଣିତ କରି
କି ଉନ୍ମାଦନା !
ତାକୁ ଛାତି ବ୍ଲାଉଜ ଭିତରେ ଗୁଞ୍ଜି
ଦୌଡ଼ିଲି ବେଡ୍ ରୁମକୁ
କବାଟ କିଳି ଦେଇ ଭିତର ପଟୁ
ଗଡି ଗଲି ବେଡ୍ ରେ
ତାକୁ ଥୋଇଦେଲି
ମୋ ଛାତି ଉପରେ
ତା ଭାରରେ
ଛାତି ମୋର ଖୁସିରେ ଆତ୍ମହରା ହୋଇ
ଉଠୁଥିଲା ପଡୁଥିଲା ଜୋର୍ ଜୋର୍।
ତାକୁ ଟିକେ ଶୁଙ୍ଘିଦେଲି
ଚୁମା ଦେଲି
ଆଃ ତା ଭିତରେ ମୁଁ ମୋ ପ୍ରେମିକ
ଦେହ ବାସ୍ନା ପାଇଲି
ଥିଇରୀ ଖୋଲିଲି ଅତି ସନ୍ତର୍ପଣେ
ଏ କଣ !
ପ୍ରତିଟି ଅକ୍ଷର ଭିତରେ ତା ମୁହଁ !
ପ୍ରତିଟି ଧାଡିରେ
ସେ ଫେଣ୍ଟି ଦେଉଥିଲା ସତେ ଅବା
ପ୍ରେମ ଅତର
ତା ହୃଦୟ ଅକୁହା ପୃଷ୍ଠା
ଖୋଲିଦେଇଥିଲା ଯେମିତି ବିନା ଦ୍ବିଧାରେ
ମହୁଥୋପା ନିଗିଡି ପଡୁଥିଲା କି
ଶବ୍ଦ ଭିତରୁ!
ପଢା ଆରମ୍ଭ ହେବବା ପରଠୁ
ସେ ମୋ ଦେହ ସହ ଦେହ ଯୋଡି
ବସିଥିଲା ଅବା
ମୁଁ ଅନୁଭବ କରୁଥିଲି ତା ତତଲା ନିଃଶ୍ବାସ ।
ଥରେ ନୁହେଁ
ଅନେକ ବାର ତାକୁ ପଢି
ମୋ ଭିତରେ ଟୁଣ ଟାଣ ହେଉଥିଲେ
ମୋତେ ପକ୍କା ପ୍ରେମିକ ପଣରେ ଜାବୁଡି ଧରି
ମୁଁ କିଛି କ୍ଷଣ ପ୍ରେମ ମଗ୍ନ ହୋଇଗଲି
ଯେଉଁଦିନ
ତା ହାତ ଲେଖା ନୀଳ ସ୍ୟାହି
ନାଲି ଲଫାପାର
ଚିଠି ଟି ପାଇଲି।

