ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ତୁମେ ସେଇ ଦରଜା
ଯାହାକୁ ଡେଇଁ
ମୁଁ ତୁମ ଘର ଭିତରକୁ ପଶିଲି
ତୁମେ ଯେଉଁଠି ଥିଲ
ସେଇଠି ରହିଲ
ମୁଁ କିନ୍ତୁ ତୁମ
ହୃଦୟ ଓ ଜୀବନରେ ଛାଇଗଲି।
ତୁମେ ଇର୍ଷା କଲ
ମୁଁ ମୁରୁକି ହସିଲି
ଅକାଶ ସିନା ତୁମେ
ଅଗଣା ସିନା ତୁମର
ମୁଁ କିନ୍ତୁ ଇନ୍ଦ୍ରଧନୁ
ପାଲଟି ଗଲି
ତୁମେ ରାଗିଲେବି
ମୁଁ ତୁମକୁ କୋଳେଇ ନେଲି।
ହାତ ଦୁଇଟା
ତୁମେ ଛିଞ୍ଚାଡି ଦେଲ
ମୁଁ ନିର୍ବାକ ହେଲି
ସେହ୍ନ ଏମିତିକା ଧନ
କାହାକୁ ଦେଇ ହୁଏନି
କାହା ସଙ୍ଗେ ଭାଗବି
ବୋଧେ ମୁଁ ବୁଝି ନ ଥିଲି
ନିହାତି ଗୋଟେ ବୋକାଟେ ବୋଲି।
ପ୍ରସାରିଥିବା ହାତକୁ
ସଙ୍କୁଚିତ କଲି
ନିଜକୁ ଅନାବଶ୍ୟକ ମଣି
ଅମାନିଆଁ ମନଟା କୁ
ନିୟନ୍ତ୍ରଣ କଲି
ପୃଥିବୀ ପାଇଁ ଆକାଶର ଅସ୍ତିତ୍ବ
ଏକାନ୍ତ ଅପରିହାର୍ଯ୍ୟ
ଇନ୍ଦ୍ରଧନୁ ମୁଁ
ଲିଭିଗଲି
ଓହରି ଆସିଲି
ଶେଷ ହୀନ ତୃଷ୍ଣାଟିଏ ନେଇ।