STORYMIRROR

Monali Nayak

Romance

3  

Monali Nayak

Romance

ସପନରେ କାଇଁ ଆସୁଛ ଏତେ ?

ସପନରେ କାଇଁ ଆସୁଛ ଏତେ ?

1 min
325

ଭାବୁଛି ଶୋଇବି

 ବହଳ ନିଦରେ

  ମନେ ନ ପକେଇ ତୁମରି କଥା, 

ଯେତେ ଚାହିଁଲେ ବି

 ଶୋଇ ପାରେ ନାହିଁ

  ତୁମେ ଚାଲିଆସ ବୁଜିଲେ ପତା ।। 


ମଥା ପାଖେ ବସି

  ଦର-ଦର ହସି

   ନ ଦେଖିଲା ପରି ଅନେଇ ରୁହ, 

ତୁମକୁ ନ ଚାହିଁ

 ମୁହଁ ଲୁଚେଇଲେ

   ମନ ଭୁଲା କେତେ କାହାଣୀ କୁହ ।। 


ଡାକି ନିଅ ମୋତେ

  ଦୂର ନଈ କୂଳେ

   ଉଠିଆରେ ନଈ ଫୁଲିଲା ବେଳେ, 

ଗୀତ ଗାଇ ଗାଇ

 ମଥା ପିଟେ ଢେଉ

   ସଫେଦ ଫେନିଳ ଫିଙ୍ଗଇ କୂଳେ ।। 


ଝାଉଁ ଗଛ ଗାଏ

 ମିଳନ ରାଗିଣୀ

  ପକ୍ଷୀମାନେ ଦେଖି କରନ୍ତି ଲାଜ, 

ଯେତେବେଳେ ତୁମେ

  ହାତେ ହାତ ରଖି

   ବାହାନା କରି ମୋ କାନ୍ଧେ ଆଉଜ ।। 


ତୁମରି ପରଶେ

  ବିଭୋର ହୋଇ ମୁଁ

   ନିଜକୁ ନିଜେ ମୁଁ ଭୁଲଇ ଯେବେ, 

ପାହାନ୍ତା ପହରେ

  ନିଉଛୁଣା କାଉ

   ତୁହା ତୁହା ଡାକେ ନିର୍ଦ୍ଦୟ ଭାବେ ।। 


ସପନ ଭାଙ୍ଗିଲେ

 ତୁମେ ଚାଲି ଯାଅ

   ବିଛଣା ଅଣ୍ତାଳି ଖୋଜଇ କେତେ, 

କହିବ କି ସାଥୀ

 ସତରେ ନ ଆସି

  ସପନ ରେ କାଇଁ ଆସୁଛ ଏତେ ?? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance