ମଧୁସ୍ଵନ
ମଧୁସ୍ଵନ
ଇନ୍ଦ୍ରଧନୁର ସପତରଙ୍ଗରେ ଆଙ୍କିଲି ତୋହର ଛବି
ଉଷାର ପହିଲି ସିନ୍ଦୂରା ଆଣି ମୁଁ ସାଜିଲି ତୋ ପାଇଁ କବି
ଦଗ୍ଧ ମୋର ତନୁମନ
ଫଗୁଣର ମିଠା ମିଠା ବାସ ବୋଳି ଭରିଦେଲା ମଧୁସ୍ଵନ ।
ଅଳକାନନ୍ଦାର ଚପଳଛନ୍ଦରେ ପାଇଲି ତୋହର ମଧୁ
ତୋ ପ୍ରୀତି ପ୍ରୟାଗେ ସତୀର୍ଥ ସ୍ନାହାନେ ସଜାଇଲି ତୋତେ ବଧୂ
ଅଧର ମଧୁ ତୋ ପାନେ
ବଞ୍ଚିବା ଶିଖିଲି ହଜିଲି ତୋ ଠାରେ ମରିବି ତୋହରି ବିନେ ।
ଆଗୋ ମଦାଳସୀ ଚାଲି ଚାରୁହଂସୀ ତୋ ହାତରେ ହାତ ଛନ୍ଦି
ନନ୍ଦନ ବନରେ ବିଚରଣ କରି ପରାଣ କଲି ଯେ ବନ୍ଦୀ
ପ୍ରଣୟ ପିପାସୁ ମନ
ତୋହରି ସାନ୍ନିଧ୍ୟେ ପାଇଲା ସଖୀ ଗୋ ଅମଳିନ ଯଉବନ ।
ଜହ୍ନ ଆଲୁଅର ରୋଷଣୀ ଜାଳି ତୁ ସାଜିଲୁ ଚାନ୍ଦିନୀ ରାତି
ବର୍ଷା ବିଧୁର ଜୀବନରେ ମୋର ଭରିଲୁ ଅମାପ ତାତି
ଦେଖାଇଲୁ ନୂଆ ରାହା
ସଜନୀ ଆସିଲୁ ଘନ ରଜନୀରେ ଦେଖାଇ ସପନ ନୂଆ ।
ଶ୍ୟାମା ବଗିଚାର ସଜଫୁଟା କଳି ତୋହରି ମୁରୁକି ହସ
ହରାଇଦିଏ ଗୋ ଦୂରେଇ ଦିଏ ଗୋ ଜୀବନର ଯେତେ ପ୍ରାସ
ଅଳସୀ ନଈ ଗୋ ମୋର
ହାତ ଧରି ଦିହେଁ ଚାଲିଯିବା ସଖୀ ହୋଇ ଏ ଦୁନିଆ ପାର ।

