ଆଖି ଆଇନା
ଆଖି ଆଇନା
ତୋ' ଆୟତ ଆଖିର ଅୟୁତ କଥା
ଅସରନ୍ତି ଲାଗେ ମୋତେ
ଋତୁଚକ୍ର ପରି ଅଙ୍ଗଭଙ୍ଗୀ ସରି
ଅବୋଧ୍ୟ ଶିଳାଲିପି ସତେ ।
ବୈଶାଖ ଆସରେ ଧୂସର ଆଖିରେ
ଉଙ୍କିମାରେ ଅସ୍ତରାଗ
ଆଖି ଲୁହ କେବେ ଝାଳ ସହ ମିଶି
ପଣତେ ପୋଛେ ସୁହାଗ ।
ଶ୍ରାବଣ ଆସିଲେ ନୀଳାମ୍ବୁ ଚିଲିକା
କାକଳୀ କୂଜନେ ଭରା
ଆଖିଠାରେ ମୋତେ ବୁଡ଼ ମାରିବାକୁ
ରାତିଦିନ ପ୍ରୀତିଝରା ।
ଶରତ ନଇଁଲେ ସଫେଦ ନୟନେ
ଜାଗେ କାଶତଣ୍ଡି ପ୍ରେମ
ମନ ମଗଜରେ ଗଜୁରି ଭଠେରେ
ଆଖିରେ ଆଖିଏ ଭ୍ରମ ।
ହେମନ୍ତ ଧାଇଁଲେ ଆଖି ତା'ର ଗମେ
କାକର ପାଉଁଜୀ ଛନ୍ଦେ
ସକାଳ ପ୍ରହର ସ୍ନେହ ବେସୁମାର
ଆଖି ନଚାଏ ସେ ଫାନ୍ଦେ ।
ଶୀତ ସରାଗରେ ଆଖି ନଇଁଯାଏ
ସଂଜଦୀପ ପ୍ରତିଲିପି
ରାତ୍ରୀ ଜାମିନୀ ନିମ୍ଲିତ ନୟନୀ
ଖିଲିଖିଲି ମଲ୍ଲିତାପି ।
ବସନ୍ତ ଆଣିଛି ଫଗୁଣ ବାରତା
ଆଖିରେ ଅଖାଏ ସ୍ୱପ୍ନ
ଆଇନାର ଭ୍ରାନ୍ତି ଆଖି ଦେଖେ ନିତି
ମୁରୁକି ସଜାଏ ମନ ।
ଅହରହ ସହଳ ତୋ' ଚକ୍ଷୁ ଯୋଗଳ
ପ୍ରଶ୍ନବାଣ ଆତ୍ମଲିପି
ଅବୋଲକରା ମୁଁ ସୂତ୍ର ପାଉନାହିଁ
ଉତ୍ତର ଗୁମର ମାପି ।
ମୋ ହୃଦ ଆଇନା ହେ କୁନ୍ଦ ନୟନା
ସାତରଙ୍ଗୀ ଛବିବହି
ଜୀବନ ସାରା ମୁଁ ପଢି ନପାରେ
ଚେଷ୍ଟାରେ ମିଳୁଛି ତ୍ରାହି ।।