ତୁମ ଆଖି ପତା
ତୁମ ଆଖି ପତା
ତୁମ ଆଖି ପତା ଯେବେ ନଇଁ ଯାଏ
କହି ଯାଏ କେତେ କଥା
ବହି ଯାଏ ହୃଦୁ ଆବେଗ ଅନେକ
ଧୋଇ ଯାଏ ବ୍ୟାକୁଳତା
ନୀରବତା କୁହେ କଥା
ତୁମ ଆଖି ପତା ଯେବେ ନଇଁ ଯାଏ ।
ଉକୁଟି ଆସିଲେ ବକଟେ ଖୁସି କୁ
ଅଟକେଇ ରଖ କିଆଁ
ଛିଟିକେଇ ଦେଇ ପ୍ରକଟ ଲାଳସା
ଆକଟ ଉତ୍କଟ ଛୁଆଁ।
ଚହଟ ଚିକ୍କଣ କାଠ ଚମ୍ପା ଗନ୍ଧ
ପବନ ପେଡ଼ି ସାଇତା
ଦର ଖୋଲା ଗୋପନତା।
ତୁମ ଆଖି ପତା ଯେବେ ନଇଁ ଯାଏ ।
ସଅଳ ସଅଳ କଅଁଳ ଓଠ କୁ
ସାଉଁଳେଇ ଦେଲେ ହସ,
ଖୋଲିବ କି ଅବା ,ନ ଖୋଲିବା ଭାବ
ଅଳସେ କରି ପ୍ରକାଶ।
ଅମାନିଆଁ ଓଠ ,ଅଧିର ଅଧରେ
କହେ ଗୋପନ ବାରତା
ସ୍ୱଳ୍ପ ସ୍ମିତହାସ୍ୟ ରେଖା
ତୁମ ଆଖି ପତା ଯେବେ ନାଇଁଯାଏ ।
ଚଂଚଳା ଚପଳା ଚମକେ ଯମକେ
ଚହଲେଇ ଯାଏ ହିଆ,
କପୁର ଫରୁଆ ଭିତର ସାଇତା
କାମ କାମନା କିମିଆଁ।
ତୁମ ଅବନତ ମୁଖ, ନତ ପଲକ କି
କହେ ଛାତି ତଳ କଥା
ନିର୍ଜରିଣୀ ଅନ୍ତ ସ୍ରୋତା।
ତୁମ ଆଖି ପତା ଯେବେ ନଇଁ ଯାଏ ।
ଓଢଣା ଉହାଡ଼େ ସୌନ୍ଦର୍ଯ୍ୟର ଶିରୀ
ଜଳଦ ଉହାଡ଼େ ଜହ୍ନ,
ଲାଜ ସାଜ ତଳେ ସ୍ୱୀକାର ସଜ୍ଜିତ
ପ୍ରାପ୍ତ ପ୍ରୀତି ନିବେଦନ
ମଧ୍ୟମ ପ୍ରକାଶେ ଉଛଳ ଉତ୍କଣ୍ଠା
ନହୁଲୀ ମହୁଲୀ ନିଶା
ଶବ୍ଦ ସ୍ନାତା ନିଃଶବ୍ଦତା
ତୁମ ଆଖି ପତା ଯେବେ ନଇଁ ଯାଏ ।

