STORYMIRROR

Manas Ranjan Nayak

Drama Tragedy Classics

4  

Manas Ranjan Nayak

Drama Tragedy Classics

ନିର୍ବାଚନ ପର୍ବ

ନିର୍ବାଚନ ପର୍ବ

1 min
430

ପୂରୁ ବା ନପୂରୁ ଉଦର ଚାଖଣ୍ଡେ, ସରେନା ପରବ ମନା

ଜୀବନ ହାଟରେ କିଣାବିକା ଚାଲେ, ବଞ୍ଚିବାର ଦାନାକନା। 

ବାପ ଗୋସାପଙ୍କ ପୁନେଇଁ ପରବ,ପାଲଟେ ସ୍ମୃତି ନିଆରା

ଅଜସ୍ର ଉତ୍ସାହ ଉନ୍ମେଷେ ଭିଜା, କିବା ନିର୍ବାଚନ ଫୁଆରା ! 


ସନା ମଳିକ'ର ବଦଳିଛି ଭେକ, ମିଳିଛି ପକ୍କା ଆବାସ 

ବେପାରୀ କାଲୁ ହିସାବ ବୁଝିଛି, କରେ ଜିନ୍ଦାବାଦ ପ୍ରୟାସ। 

ଗାଁ ଅପନ୍ତରା, ଗଳିମୁଣ୍ଡ ପାଟ, ରାତାରାତି ହୁଏ ନିର୍ମଳ

ରଙ୍ଗମଖା ପରେ ଫଳକରେ ଲେଖା, ସ୍ବଚ୍ଛ ମୋ ଗାଁ ପରିମଳ। 


ଯୋଜନ ଦୂର ଯୋଜନା ଯାକ, ନେତାଙ୍କ ଭାଷଣରେ ହାଜର 

ମଥାନତ ଜୁହାର ସାଙ୍ଗକୁ, କିଣା କରତାଳିରେ ପ୍ରଚାର। 

ରଜ ପରବଠୁ ବଳିପଡେ ପୁଣି ମାଉଁସ ଭାତର ଭୋଜି

ଗଡ ଜୟ ପାଇଁ ପଙ୍ଗତରେ ବସି ମେଳି ଅମେଳିଙ୍କ ବାଜି। 


ଶୋଭାଯାତ୍ରା ନେଇ ପତାକା ହଲାଇ, ଗାଁ ଟୋକା ହେଲେ ମାତାଲ୍

ହାତଗୁଞ୍ଜା ସାଥେ ନାଲି ପାଣି ନିଶା, ମିଛ ସବୁ ହାଲଚାଲ୍। 

ପରବ ପୂର୍ବରୁ ମୌସୁମୀ ପ୍ରାୟ, ଭାବି ନେତାଙ୍କ ଆଗମନ

ନ ମାଗି ବି ମିଳେ ପ୍ରୀତି ଭାଇଚାରା, ସତ ମହାର୍ଘ ସପନ! 


ରାଣ ପ୍ରତିଶୃତି ଗୁଞ୍ଜରିତ ହୁଏ, କଟାଯାଏ କେତେ ନାଲିଫିତା

ଉତ୍ସବ ମୁଖର ଗାଁ ଛକ ଦାଣ୍ତ ,ନାଚେ କିବା ବାଡବତା! 

ପ୍ରସ୍ତୁତି ପରବ ଉଚ୍ଚାଟ ବାଜାରେ, ନରନାରୀ ଆହ୍ଲାଦିତ

ସାମଗ୍ରୀକତାର ଏ ମହା ମିଳନେ, ପରବ କି ଅନୁପାତ? 


ଗଣତନ୍ତ୍ରର ମହାପର୍ବ ସିନା ସ୍ବଚ୍ଛ ନିରପେକ୍ଷ ନିର୍ବାଚନ

ମତଦାତା ଯେବେ ବିକ୍ରୀ ହୁଏ ଏଠି, ନୁହଁ କି ଏ ପ୍ରହସନ? 

ପ୍ରଗତି ନାରାରେ ଦୁର୍ଗତିର ଦୁର୍ଗ, ଗଢେ ଏ ମିଛ ପ୍ରଚାର

ନିର୍ବାଚନ ପର୍ବ ସଫଳ ହୋଇବ, ହେଜିଲେ ସମ୍ୟକ ବିଚାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama