ମହାପ୍ରସାଦ
ମହାପ୍ରସାଦ
କାଳିଆରେ ତୋର ମହାପ୍ରସାଦରେ
ମନ ମୋର ବଳିଅଛି
ତେଣୁ ନୀଳାଚଳେ ଧାଇଁ ମୁଁ ଆସିଛି
ତୋ ପାଖେ ହାତ ପାତୁଛି।
ଦେବୁ କି ନ ଦେବୁ କହରେ କାଳିଆ
ସେଥିରୁ ତୁ କାଣିଚାଏ
ଆଜି ପ୍ରାଣ ମୋର ଡହଳ ବିକଳ
ତୋ ଭାବେ ଆପଣା ଛାଏଁ।
କାଣିଚାଏ ଦେଲେ ହେବ କିବା ଊଣା
ଛପନ ଭୋଗରୁ ତୋର
ଷାଠିଏ ପଉଟି ଖଞ୍ଜା ପରା ନିତି
ସର୍ବଦା ପୂର୍ଣ୍ଣ ଭଣ୍ଡାର !
ବଡ଼ଦେଉଳିଆ ହେ ଚକାଡୋଳିଆ
ବଡଠାକୁର ବୋଲାଇ
ବଡଦିଅଁ ହୋଇ ଏ ଦୀନ ଦୁଃଖୀକୁ
ଦିନେ ତୁ ଚାହିଁଲୁ ନାହିଁ।
ଦୀନବନ୍ଧୁ ନାମ ବହିଛୁ କିପାଇଁ
ଦୀନ ଆଜି ଭାସିଯାଏ
କେଉଁଥି ପାଇଁକି ପତିତପାବନ
ଦେଉଳ ତୋ ଉଡୁଥାଏ?
ସୁଦାମାର ଥାଳ ଭରିଛୁ କାଳିଆ
ତାକୁ ସଖାପଣେ ତୁହି
ବନ୍ଧୁ ମହାନ୍ତିକୁ ଭୋଗଥାଳି କହ
ଟେକି ଦେଇଛୁ କି ନାହିଁ?
ମୋ ଭଳି ଅନାଥ ମାଗୁଅଛି ଭିକ
ତୋର ଏ ବଡ଼ଦାଣ୍ଡରେ
ମହାପ୍ରସାଦରୁ କାଣିଚାଏ ମାଗେ
ଦୟାକର ମୋତେ ବାରେ।
ଭକତ ବତ୍ସଳ ହେ କଳା ଠାକୁର
ଭକତ ମାନ ରଖୁଛ
କେଉଁ ଭାବ ମୋର ଊଣା ଦେଖି ପ୍ରଭୁ
ଦୂରେ ଠେଲି ଦେଉଅଛ।
ହେ ଦୀନବାନ୍ଧବ ଏ ଦୀନ ଦୁଃଖୀକୁ
ଆପଣାର କରି ନିଅ
ଏ ଦାସାନୁଦାସ ହୋଇବ କୃତାର୍ଥ
ଦେଖୁଥିବ ତୋର ମୁହଁ।
ଏ ଭବ ସାଗରୁ ପାରି କରି ପ୍ରଭୁ
ସ୍ଵର୍ଗଦ୍ଵାରେ ଜାଗା ଦେବ
ସେ ଅମୃତବେଳେ ଶ୍ରୀ ମହାପ୍ରସାଦ
ସତେ ମୋ ତୁଣ୍ଡରେ ଥିବ !
