ଏ ବର୍ଷ
ଏ ବର୍ଷ
ଏ ବର୍ଷ ଶ୍ରାବଣ ଯେତିକି ବର୍ଷିଲା
ସେତିକି ଲୁହ ମୋ ଠାରେ
ତଥାପି ଟାଙ୍ଗରା ପଡିଅଛି ଭୂଇଁ
ଭିଜିବ କା' ଲୁହ ଧାରେ ।।
ଏ ବର୍ଷ ମୋ ପ୍ରିୟା ଯେତେ ପ୍ରେମ କଲା
ସେତିକି ଦୁଃଖ ମୋ ଠାରେ
ତଥାପି ତା ମାନ ପାରିଲିନି ବୁଝି
କହିବି କାହାକୁ ବାରେ ।।
ଏ ବର୍ଷ କରୋନା ଯେତେ କନ୍ଦାଇଲା
ସେତିକି କୋହ ମୋ ଠାରେ
ତଥାପି ଡରିନି ଜୀଇଁବା ଶିଖିଛି
ତୁଣ୍ଡି ବାନ୍ଧି ମୁହଁ ପରେ ।।
ଏ ବର୍ଷ ବଜାର ଯେତେ ଦର କଲା
ତେଲ,ଲୁଣ,ଡାଲି ପରେ
ତଥାପି ସଉଦା ହାଟ ମୁଁ କରିଛି
ଏଇ ପେଟ ଚାଖଣ୍ଡରେ ।।
ଏ ବର୍ଷ ମନ୍ଦିରେ ଯେତେ ତାଲା ଥିଲା
ସେତିକି ମୋ ଘର ଠାରେ
ତଥାପି ଦର୍ଶନ କରିଛି ଠାକୁରେ
ମୋ ଅନ୍ତର ମୋ ଆତ୍ମାରେ ।।
ଏ ବର୍ଷ କାହାଣୀ ଯେତେ ଲେଖାହେଲା
ଜନ୍ମ ମୃତ୍ଯୁ ପଞ୍ଜିକାରେ
ତଥାପି ସରୁନି ଶେଷ ଅଙ୍କ ଦୃଶ୍ଯ
କରୋନା ବି ନେପଥ୍ଯରେ ।।
