STORYMIRROR

Amulya Kumar Nayak

Inspirational

4  

Amulya Kumar Nayak

Inspirational

ଅହିଂସା କାହା ପାଇଁ

ଅହିଂସା କାହା ପାଇଁ

1 min
485


ଆନ୍ତର୍ଜାତିକ ଅହିଂସା ଦିବସ

  ପାଳନ୍ତି ପୃଥିବୀ ସାରା

ଅନ୍ତରୁ କାହାରି ହିଂସା ହଟୁନାହିଁ

  ନିଜେ ବୋଲନ୍ତି ଡାମରା ।।


କେତେ କେତେ ପିଢି ଗଲେଣି ଉଜୁଡି

  ଜଳାଇ ହିଂସାର ଜୁଇ

ମିଛେ ଖାଲି ଆମେ ଡିଣ୍ଡିମ ପିଟୁଛୁ

  ହେଲେ ଅକ୍ଟୋବର ଦୁଇ ।।


ଅରଟରେ ଘୁଣ ଲାଗିଛି ସଙ୍ଗାରେ

  ଖଦି ଖଦଡକୁ ବାଏ

ଆଣ୍ଠୁ ଉପରକୁ ପାଇଜାମା ପଟେ

  ପିନ୍ଧି ବୋଲୁ ହେଲୋ ହାଏ ।।


ଗାଲର ଚାପୁଡା ସହିବାକୁ ବାପୁ

  ନାହିଁ କାହାର ବି ତର

ବୁଲେଟ୍ ଆମଲେଟ୍ କରିଦେଉଅଛି

  ଉଜାଡି ଦେଇ ସଂସାର ।।


ତିନି ମାଙ୍କଡଙ୍କୁ ତଣ୍ଟିଆ ଦେଇଣ

  ତ୍ରିଭୁବନ ସ୍ୱପ୍ନ ପାଞ୍ଚି

ଆଧୁନିକ ନାମେ ଅନ୍ଧ ହୋଇଅଛୁ

  ଛେପ କି ପାରିବୁ ପୋଛି ।।


ଦାଣ୍ଡି ଲୁଣ ଏବେ ଦାଣ୍ଡରେ ପଡିଛି

  ଆୟୋଡିନ ମୂଲ କୋଡି

ହୁଇଲି ଚେୟାର ହିଡ ଡେଇଁଯାଏ

  ଲୋଡା କି ବଙ୍କୁଲୀ ବାଡି ?


ଠିକଣା ହଜେଇ ରାମ ରାଇଜଟା

  ମରା ରାଇଜକୁ ଧାଉଁଛି

କୁଟି ଖାଉଥାଅ କାଟି ପିନ୍ଧୁଥାଅ

  ଅରଟ ସଙ୍ଗାରେ କାନ୍ଦୁଛି ।।


ରାବଣ ଲକ୍ଷଣ ଏଠି ଯେ ମହଣ

  ସୀତା ହରଣଠୁଁ ବଳି ପଡିଛି

ବୈଷ୍ଣବ ଜନ ଶୁଭୁନାହିଁ ଗାନ

  ମୋ କୁନା ପାପ୍-ଜି ଧରିଛି ।।


ସ୍ୱ-ଅଧୀନରେ ନାହିଁ ଏଠି ମନ

  ସ୍ୱାଧୀନ ଆତଙ୍କି-ରାଜ

ତତଲା ତାଓ୍ୱାରେ ସିଝେ ଆଫଗାନ

  ବୁଣି ତାଲିବାନୀ ବୀଜ ।।


ଜାତିର ଜନକ ବୋଲନ୍ତି ଗଣକ

  ସେ ଜାତି,ହିଂସାକୁ ଧ୍ୟାଇ

ଅଣୁ ପରମାଣୁ ରଖନ୍ତି ସାଇତି

  ଅହିଂସା କାହାର ପାଇଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational