ଅଖଣ୍ଡ ଭାରତ
ଅଖଣ୍ଡ ଭାରତ
ହୋଇ ଏକ ମୁଖ ଭୁଲିଯିବା ଦୁଃଖ
ଦୁଃଖ ଯିବ ଅପସରି
ସରି କେଉଁ ଦେଶ ଭାରତ ସମାନ
ମାନବତା ଧର୍ମ ବରି।
ଜାତି ଜାତି ଫୁଲ କିଏ ହେବ ତୂଲ
ତୁଳନା ତାହାର ନାହିଁ
ନାହିଁ ତା'ର ମୂଲ ମୂଲ ତା ଅମୂଲ
ମୂଲ କେ ପାରିବ ଦେଇ।
ଅସଂଖ୍ୟ ଖଣ୍ଡରେ ଖଣ୍ଡିତ ମୋ ଦେଶ
ଦେଶବାସୀ ନୀତି ହୀନ
ହୀନ ଚକ୍ରାନ୍ତର ସମସ୍ତେ ଶିକାର
କାରଣ ତା ଅଗଣନ।
ସର୍ଦ୍ଦାର ବଲ୍ଲଭ ହୋଇ ଦେବଦୂତ
ଦୂତ ବେଶେ ଦେଶ ଭ୍ରମି
ଭ୍ରମିତ ଶାସକ ମନରେ ସରାଗ
ରାଗ, ଦ୍ୱେଷ ଗଲା କମି ।
ପାଞ୍ଚଶ ବାଷଠି ଗଡ଼ଜାତ ଦେଶ
ଦେଶ ମଧ୍ୟେ ଗଲେ ମିଶି
ମିଶି ପାଞ୍ଚ ମନ କଲେ ସ୍ବାର୍ଥ ଦାନ
ଦାନ ବିତ୍ତେ ହେଲୁ ଖୁସି ।
ସର୍ଦ୍ଦାର ବଲ୍ଲଭ ସେ ଲୌହ ମାନବ
ନବ ଆଶା ଦେଲେ ଭରି
ଭରିଗଲା ସୁଖ ଅମଳିନ ମୁଖ
ମୁଖ ଚନ୍ଦ୍ରମା କେ ସରି।
ତ୍ରିରଙ୍ଗା ଉଡଇ ଆକାରର କୋଳେ
କୋଳେ ଧରି ଜନ ଗଣ
ଗଣତନ୍ତ୍ର ଦିଏ ସମାନ ସୁବିଧା
ବିଧାତା ଯେ ମହୀୟାନ ।