ମୁଁ ଗଛ କହୁଛି
ମୁଁ ଗଛ କହୁଛି
ମୁଁ ଗଛ କହୁଛି
:::::::::::::::::::::
ସଜୀବ, ନିର୍ଜୀବ ପ୍ରଭେଦ ବିଷୟେ
ପିଲାଦିନେ ଯେଉଁ ପାଠ ପଢିଛ
ପଶୁ ପକ୍ଷୀ କୀଟ ପତଙ୍ଗଙ୍କ ପରି
ସଜୀବ ଅଟେ ମୁଁ ମୋ ନାମ ଗଛ I
ଜନ୍ମ ହୋଇ ମୁୁଁ ଯେ ବୃଦ୍ଧିପ୍ରାପ୍ତ ହୁଏ
ବଂଶ ମୋର ମୁହିଁ ବିସ୍ତାର କରେ
ମଣିଷଙ୍କ ପରି ବୟସ ବଢିଲେ
ବୃଢା ହେଇଯାଇ ମୁଁ ବି ମରେ I
ବ୍ୟବହାର ପରେ ମଣିଷର ଯାହା
ଦରକାର ନୁହେଁ ଫିଙ୍ଗେ ବାହାରେ
ଖତକରି ମୋର ମୂଳେ ଦେଇଦେଲେ
ହୃଷ୍ଟପୁଷ୍ଟ ହୋଇ ବଢି ମୁଁ ଚାଲେ I
କେତେଯେ ଅଙ୍ଗାରକାମ୍ଳ ଛାଡି ତୁମେ
ବାୟୁ ମଣ୍ଡଳକୁ ବିଷାକ୍ତ କର
ନିଶ୍ୱାସରେ ନେଇ ସେ ବିଷାକ୍ତ ବାୟୁ
ରୋଗେ ପଡି ତୁମେ ହୁଅ ଅସ୍ଥିର I
ପୃଥିବୀ ଉତ୍ତାପ ବଢି ବଢି ଯାଏ
ଚତୁର୍ଦ୍ଦିଗ ତୁମ ପାଲଟେ ବିଷ
ବିଷ ବଳୟରେ ବଞ୍ଚିଛି ମଣିଷ
କମି କମି ଯାଏ ତାର ଆୟୁଷ I
ଅଙ୍ଗାରକାମ୍ଳକୁ ଶୋଷି ନେଇଯାଏ
ସେଥିରେ ମୋ ଖାଦ୍ୟ ତିଆରି କରେ
ଶୁଦ୍ଧ ଅମ୍ଳଜାନ ପବନରେ ଛାଡି
ଜୀବନ ତୁମର ଖୁସିରେ ଭରେ I
ମୋ ଚେର ମାଟିକୁ ଯାବୁଡି ଧରଇ
ମୃତ୍ତିକାକ୍ଷୟକୁ ରୋକଇ ମୁହିଁ
ପୋତି ହୁଏନାହିଁ ସମୁଦ୍ରର ଗର୍ଭ
ଲହଡି କୂଳକୁ ପାରେନି ଡେଇଁ I
ହେଲେ ତୁମେ ଆଜି କି ବୁଦ୍ଧି କରୁଛ
ନିର୍ବିଚାରେ ମୋତେ ଦେଉଛ କାଟି
ପୃଥିବୀ ଉତ୍ତାପ ବଢେ ଦିନୁ ଦିନ
ସମୁଦ୍ର ତାଡୁଛି କୂଳର ମାଟି I
ଚାହଁ ତୁମେ ଯଦି ମଣିଷ ଜାତିଟା
ବଞ୍ଚି ରହିଥାଉ ଏଇ ମରତ୍ତେ
ମନଇଛା ଆଉ କାଟନାହିଁ ଗଛ
ଲଗାଅ ବଞ୍ଚାଅ ବଢାଅ ମୋତେ I
ଯେତେ ଯେତେ ଗଛ କାଟି ଚାଲିଥିବ
ସେତେ ସେତେ ତୁମ ବଢିବ କଷ୍ଟ
ସେଥିପାଇଁ କୁହେ ଜଙ୍ଗଲ ବଢାଅ
ମଣିଷ ସମାଜ ନହେଉ ନଷ୍ଟ I
