ହେ ବିଶ୍ଵବନ୍ଦନ
ହେ ବିଶ୍ଵବନ୍ଦନ
ହେ ବିଶ୍ଵବନ୍ଦନ ଜଗତଜୀବନ
ଦୀନବନ୍ଧୁ ଦୟାନିଧି,
ପତିତ ତାରଣ ହେ ଗର୍ବଗଞ୍ଜନ
ଜଗବନ୍ଧୁ କୃପାନିଧି । ।
ହେ କଳା ସାଆନ୍ତ ପତିତର ମିତ
ଆହେ ପ୍ରଭୁ ଜଗନ୍ନାଥ,
ବହୁ ବାଧାସତ୍ତ୍ଵେ ହେଲା ପ୍ରଭୂ ଆଜି
ତୁମ୍ଭ ଶ୍ରୀଗୁଣ୍ଡିଚା ଯାତ । ।
ସବୁତ ତୁମରି ଭିଆଣ ହେ ହରି
ସର୍ବଅଟେ ତୁମ୍ଭମାୟା,
କେହି ନଯାଣନ୍ତି ତୁମ୍ଭରି ଲୀଳାକୁ
ହେ ପ୍ରଭୁ ଚକା ଆଖିଆ । ।
ଜଗତ କଲ୍ୟାଣ ନିମନ୍ତେ ହେ ପ୍ରଭୁ
କରିଥାଅ ଘୋଷଯାତ୍ରା,
ଭକ୍ତଙ୍କୁ ଦର୍ଶନ ଦେବା ଛଲେ ହରି
କରିଥାଅ ରଥେ ଯାତ୍ରା । ।
ରତ୍ନବେଦି ଛାଡି ମାଉସୀ ଘରକୁ
ଯାଇଥାଅ ଜନାର୍ଦ୍ଦନ,
ଛାଡି ଭୋଗ ରାଗ ଶ୍ରୀମନ୍ଦିର ସୁଖ
ଆହେ ଭକତ ପରାଣ । ।
ଭକତ ଭାବରେ ତୁମ୍ଭେ ବନ୍ଧାହୁଅ
ଭକ୍ତ ହିଁ ତୁମ ଜୀବନ,
ଭକ୍ତକୁ ଛାଡ଼ିଣ ନରହ ମୋହନ
ଏହା ତୁମ୍ଭ ବଡପଣ । ।
ଭକ୍ତ ମନବାଞ୍ଛା କଳ୍ପତରୁ ତୁମ୍ଭେ
ଆହେ ଭକତ ବତ୍ସଳ,
କରୋନା ଭୟରେ ଭକ୍ତ ଶୂନ୍ୟ ଆଜି
ତୁମ୍ଭ ଶ୍ରୀ ବଡଦେଉଳ । ।
ଶ୍ରୀ ବଡଦାଣ୍ଡରେ ଭକ୍ତ ଶୂନ୍ୟ ଆଜି
ଏକି ତୁମ୍ଭ ନୁଆଁ ରୀତି,
ଇତିହାସ ପୃଷ୍ଠେ ରହିବ ଏକଥା
ହେ ପ୍ରଭୁ କମଳାପତି । ।
ଘୋଷଯାତ୍ରା କର ଭକ୍ତ ସଙ୍ଗେନାହିଁ
ଏହା ତୁମ୍ଭର କି ଖେଳ,
ବିଚିତ୍ର ଲୀଳା ରଚିଲ ଦୟାନିଧି
ଆଉ ବା କଣ ରଖିଲ । ।
ଡାକ ଶୁଣିଅଛ ଘୋଷଯାତ୍ରା ପାଇଁ
ଘୋଷଯାତ୍ରା ତୁମ୍ଭ ହେଲା,
ଭକତ ବିଚରା ଘରେ ଲୁଚିରହି
ଆଖିଲୁହ ସାଥି କଲା ।।
ଅନ୍ତର ବେଦନା ବୁଝ ବୋଲି ପ୍ରଭୁ
ଅନ୍ତର୍ଯ୍ୟାମୀ ତୁମ ନାମ ,
ପତିତ ଜନର ମନଚିହ୍ନ ବୋଲି
ପତିତପାବନ ନାମ । ।
ଯେତେ ଦୁଃଖ ଦିଅ ସହିଯିବୁ ପ୍ରଭୁ
ତୁମ୍ଭ ବିନା ଏ ଜୀବନ,
ନେତ୍ରରୁ ଅନ୍ତର ନକରି ହେହରି
ଥରେ ଦିଅହେ ଦର୍ଶନ ।।
ଭୁଲିଯିବ ନାହିଁ ଆହେ ଚକାଆଖି
ଦୟା ରଖିଥିବ ବାରେ,
ଦୟାମୟ ନାମ ବ୍ୟର୍ଥ କରିବନି
ଶରଣ ପଦ୍ମପାଦରେ । ।