ଶିଶିର ବିନ୍ଦୁ
ଶିଶିର ବିନ୍ଦୁ
ହିମ ଋତୁ ଆସେ ଶରତ ଶେଷରେ
କାର୍ତ୍ତିକ ଧରମ ମାସେ ।
ମାର୍ଗଶୀର ଶେଷେ ବିଦାୟ ନିଏ ସେ
ଶୀତ ଋତୁ ପରବେଶେ ।
ଶିଶିର ବିନ୍ଦୁଟି ସତେକି ମୁକୁତା
ଝଟ ଝଟ ଦିଶୁଥାଇ ।
ସବୁଜ ଘାସର ଗାଲିଚା ଉପରେ
ମୁକୁତା ହୋଇଛି ଛାଇ ।
ପାଚିଲା କ୍ଷେତରେ ବିରାଜିତ ଲକ୍ଷ୍ମୀ
ଗଳାରେ ମୁକୁତା ହାର ।
ପ୍ରଭାତ କାଳରେ ବିରାଜିତା ମାତା
ଦିବ୍ଯ ଦରଶନ କର ।
ସୁରୁଜ କିରଣ କରିବ ହରଣ
ଶିଶିର ବିନ୍ଦୁ ଜୀବନ ।
ରାତିରେ ଜନମି ପବିିତ୍ର ପ୍ରଭାତେ
ହରାଏ ନିଜ ଜୀବନ ।
ସୁଲୁସୁଲୁ ବାଆ ଆସୁଅଛି ବହି
ସୁମନ ସୁବାସ ଛୁଟେ ।
ଶିଶିର ବିନ୍ଦୁ ତା ଉପରେ ପଡିଛି
ମଧୂପ ଗୁଞ୍ଜନ ରଟେ ।
ଶିଶିର ସିକ୍ତ ଏ ଧରଣୀ ଉପରେ
ପାଦ ଥାପିଦେଲେ ଥରେ ।
ନବ ଉନ୍ମାଦନା ଜାଗେ ତନୁ ମନେ
ପ୍ରାଣ ପୁଲକିତ କରେ ।
ଶିଶିର ବିନ୍ଦୁ ଏ ବାରତା ଦେଉଛି
ହେଉ ପଛେ ଅଳ୍ପ ଆୟୁ ।
ନିଜ ସୁବାସରେ ସୁବାସିତ କର
ଥାଉଥାଉ ପରମାୟୁ ।
ଶିଶିର ବିନ୍ଦୁର ସମାନ ଅଟଇ
ଆମ ମିଥ୍ୟା କଳେବର ।
ଜୀବନ ନାଟିକା କେବେ ସରିଯିବ
ବୁଝିବା ବଡ ଦୁଷ୍କର ।