ତୋ ରୂପ ଦର୍ଶନେ
ତୋ ରୂପ ଦର୍ଶନେ
ଧନ୍ୟ ହେଲି ମୁହିଁ ଆହେ ଭାବଗ୍ରାହୀ
ଜନମ ସାର୍ଥକ ହେଲା,
ତୋ ଚକା ନୟନ ଦେଖି ଜନାର୍ଦ୍ଦନ
ପାପ ତାପ କ୍ଷୟ ଗଲା ।
ରତ୍ନସିଂହାସନେ ଚତୁଃର୍ଦ୍ଧା ମୁରତୀ
ଦିଶେ ଏ ପାପଚକ୍ଷୁରେ,
ଏଡେ ଦୟାବନ୍ତ କରୁଣା ସାଗର
ତୋ କୃପା କେ ବର୍ଣ୍ଣିପାରେ ।
ରାଗ ଅଭିମାନ କଲି ଜନାର୍ଦ୍ଦନ
ମୋ ଦୋଷ ଧରିଲୁ ନାହିଁ,
ଟାଣି ନେଇଗଲୁ ଶ୍ରୀମନ୍ଦିରେ ତୋର
ଧନ୍ୟ ଜଗତ ଗୋସାଇଁ ।
କୋଟିଏ ଜନ୍ମର ପାପ ତାପତ୍ରୟ
କ୍ଷୟ ଗଲା ଜନାର୍ଦ୍ଦନ,
ତୋ ଦର୍ଶନ ଲଭି ଜୀବନ ସାର୍ଥକ
ହୋଇଲା ମଧୁସୁଦନ ।
ତୋଭାବ ଡୋରୀରେ ବାନ୍ଧିନେଲୁ ବୋଲି
ଯାଇଥିଲି ତୋ ପାଖକୁ,
ଦର୍ଶନ ଦେଇଣ କୃତାର୍ଥ କରିଲୁ
ଜଗାରେ ଏହି ପାପୀକୁ ।
ମୁଁ ହୀନ ଅଧମ କୃତ୍ସିତ କପଟି
ଦୁରାଚାର ମନ୍ଦମତ୍ତି,
କୁସଙ୍ଗି ଦୁର୍ମୁଖ ପାପିଷ୍ଠ ଆଳସି
ତୋରୁପ ନ ପାରେ ଚିନ୍ତି ।
ଯେରୁପ ଦର୍ଶନ ପାଇବାକୁ ବ୍ୟଗ୍ର
ହର ବ୍ରହ୍ମା ଦେବଗଣ,
ଋଷି ମୁନି ଯକ୍ଷ ରକ୍ଷ ଓ ଗନ୍ଧର୍ବ
ସାରା ବିଶ୍ଵବାସୀ ଗଣ ।
ସେ ରୁପ ଦର୍ଶନ ଦେଇ ନାରାୟଣ
ଧନ୍ୟ କରିଦେଲ ସାଇଁ,
ପୁଣି ଆଉ କେବେ ଦରଶନ ଦେବ
ଦୟାମୟ ଭାବଗ୍ରାହୀ ।
ଦୟାର ଠାକୁର ବୋଲିଣ ଜାଣନ୍ତି
ସଂସାରୀ ଜଗତ ଜନ,
ସେ ଦୟାରୁ ଟିକେ ପାଇବା ପାଇଁକି
ବ୍ୟାକୁଳିତ ଏ ପରାଣ ।
ଧନ୍ୟ ହେ ଠାକୁର ଧନ୍ୟ ତୁମ୍ଭ ଲୀଳା
କି ବର୍ଣ୍ଣି ପାରିବି ମୁହିଁ,
କୃପାମୟ ହରି ଦର୍ଶନ ଦେଇଛ
ଭବୁ କରିବାକୁ ତ୍ରାହି ।