ଜୟ ଜୟ ମା'ଗୋ
ଜୟ ଜୟ ମା'ଗୋ


ଜୟ ଜୟ ମାଗୋ ଦୁରିତ ନାଶିନୀ
ଘଟଗାଆଁ ଠାକୁରାଣୀ,
ଜୟ ଜୟ ମାଗୋ ମନ୍ଦାର ମାଳିନୀ
ଜୟତୁ ନଡ଼ିଆ ରାଣୀ ।
ପୟରେ ଅଳତା ଦିଶେ ଶୋଭାବନ
ରଙ୍ଗବସ୍ତ୍ର ଶରୀରରେ,
ଦୟାକରି ଥାଅ ଦୀନଦୁଃଖି ଜନେ
ଶରଣ ତୁମ୍ଭ ପୟରେ ।
ଜଗତ କଲ୍ୟାଣେ କୋଣ ଅନୁକୋଣେ
ନାନା ରୁପେ ପୂଜାପାଅ,
ଯିଏ ଯେଉଁ ରୂପେ ପୂଜଇ ତୁମ୍ଭଙ୍କୁ
ସେହି ରୁପେ ଫଳ ଦିଅ ।
ମନ୍ଦାରର ମାଳ ଗଳେ ଶୋହେ ତୋର
ସିନ୍ଦୁରରେ ମୁଖ ମଣ୍ଡି,
ଯାଜପୁରେ ତୋର ନାମ ବିରଯାଇ
କଟକେ କଟକଚଣ୍ଡି ।
ବାଣପୁରେ ତୁମ୍ଭ ନାମ ଭଗବତୀ
ପୁରୀରେ ବିମଳା ନାମ,
ସମ୍ବଲପୁରରେ ନାମ ସମଳାଇ
ପୂର୍ଣ୍ଣକରୁ ମନସ୍କାମ।
ପଶ୍ଚିମେ ରହିଲୁ ହିଙ୍ଗୁଳା ବୋଲାଇ
କାକଟପୁରେ ମଙ୍ଗଳା,
ଭୁବନେଶ୍ଵରରେ ଗଉରୀ ତୋ ନାମ
ଝଙ୍କଡ଼ପୁରେ ଶାରଳା I
ଲହଲହ ଜିହ୍ଵା ପାଟି ମୁଖ ତୋର
ସିନ୍ଦୁରରେ ମୁଖ ମଣ୍ଡି,
ବାଙ୍କିରେ ଚର୍ଚ୍ଚିକା କୋଣାର୍କେ ରହିଲୁ
ମା' ଅଭୟାରାମଚଣ୍ଡି ।
ସକଳ ଶକ୍ତିର ଅଟଶକ୍ତିମୟୀ
ମାଗୋ ଶକ୍ତିପ୍ରଦାୟିନୀ,
ଶ୍ରୀଚରଣେ ତବ ପଶୁଛି ଶରଣ
ଏତିକି ମୋର ଦୟିନୀ ।