STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ଶ୍ରୀରାମଙ୍କ ଜନ୍ମ

ଶ୍ରୀରାମଙ୍କ ଜନ୍ମ

1 min
398


ବନ୍ଦଇ ଶ୍ରୀଗୁରୁ ଚରଣ 

ଆରାଧ୍ୟ ଶ୍ରୀରାଧା ମୋହନ ।୧।


ଶ୍ରୀରାମ ବୈଦେହୀ ପୟରେ 

ଲକ୍ଷ୍ମଣ ଶତ୍ରୁଘ୍ନ ସାଥିରେ ।୨।


ଭରତ ପଦରେ ନମଇ

ଭକ୍ତିର ପରାକାଷ୍ଠା ସେହି ।୩।


ଶ୍ରୀରାମ ଦୂତଙ୍କ ପୟରେ

ପ୍ରଣାମ ଶତକୋଟି ବାରେ ।୪।


ଗଣେଶ ପାଦରେ ନମଇଁ,

ଉମା ମହେଶ୍ବରେ ବନ୍ଦଇ ।୫।


ଶ୍ରୀରାମ ଜନ୍ମର ବାରତା

ପ୍ରକାଶେ ନୁହଇ ସମର୍ଥା ।୬।


ବଳିଛି ଉତ୍ସାହ ମନର

ରଚିବି ଶ୍ରୀରାମ ଜନ୍ମର ।୭।


ରାମାୟଣ ଶତ ଯେ କୋଟି

କଳ୍ପ ଭେଦରେ ଭେଦ ଗୋଟି ।୮।


ଶ୍ରୀରାମ ଜନ୍ମର ବାରତା 

ଏକହୁଁ ଏକ ବିଚିତ୍ରତା ।୯।


ଏକରୁ କାରଣ ଅନେକ 

ଭକ୍ତର ହିତେ ପଦ୍ମମୁଖ ।୧୦।


ଗୋ-ବିପ୍ର ସୁର ସନ୍ଥ ହିତେ

ସଦା ତତ୍ପର ଜଗନ୍ନାଥେ ।୧୧।


ଏଚାରି ରକ୍ଷାର୍ଥେ ଶ୍ରୀହରି 

ମାନବ ରୂପେ ଅବତରି ।୧୨।


ଭକ୍ତର ମାନ ରକ୍ଷା ଅର୍ଥେ,

ପୁଣି ନାରଦ ଅଭିଶାପେ ।୧୩।


ପୃଥିବୀ ପାପଭାରା ନାଶି,

ଜଗତେ ଧର୍ମକୁ ପ୍ରକାଶି ।୧୪।


ଜୟ ବିଜୟଙ୍କ ଉଦ୍ଧାରେ,

ଜନ୍ମିବେ ଚତୁର୍ଦ୍ଧା ରୁପରେ ।୧୫। 


ସୂର୍ଯ୍ୟ ବଂଶରେ ନେବେ ଜନ୍ମ,

ଅନାଦି ପ୍ରଭୂ ନାରାୟଣ ।୧୬ I


ସୂର୍ଯ୍ୟ ବଂଶରେ ଅଜରାଜା

ସୁଖରେ ପାଳଇ ପରଜା ।୧୭।


ତାପୁତ୍ର ଦଶରଥ ନାମ 

କ୍ଷତ୍ରୀୟ ଧାର୍ମିକ ରାଜନ ।୧୮।


ପ୍ରତାପୀ ସତ୍ୟବାଦୀ ଜ୍ଞାନୀ 

ପୁତ୍ର କଷ୍ଟରେ ହୁଏ ଗୁଣି ।୧୯।


ଅନେକ ରାଣୀ ରାଜାଙ୍କର 

କାଗର୍ଭେ ନଥିଲା କୁମର । ୨୦।


କୌଶଲ୍ୟା କୈକେୟୀ ସୁମିତ୍ରା 

ଏତିନି ପାଟ ରାଜମାତା । ୨୧।


ସନ୍ତାନ ଦୁଃଖରେ ରାଜନ 

ଚଳିଲେ ଗୁରୁ ସନ୍ନିଧାନ । ୨୨।


କହନ୍ତି ସକଳ ବୃତ୍ତାନ୍ତ

ଶ୍ରୀଗୁରୁ ଦେଲେ ଗୁଢ଼ ତତ୍ତ୍ଵ ।୨୩।


ପୁତ୍ରେଷ୍ଟି ଯଜ୍ଞ ଆୟୋଜନ

ଆମନ୍ତ୍ରି ଋଷ୍ୟଶୃଙ୍ଗ ଆଣ ।୨୪।


ଗୁରୁଙ୍କ ଆଜ୍ଞା ଶିରେ ଘେନି

ଯଜ୍ଞର ଆୟୋଜନ ଆଣି ।୨୫।


ଯଜ୍ଞକଲେ ଋଷି ପୂତ୍ରେଷ୍ଟି 

ଯଜ୍ଞରେ ପୁରୁଷ ପ୍ରକଟି ।୨୬।


ଚରୁକୁ ରାଜା ହସ୍ତେ ଦେଲେ 

ରାଜନ ରାଣୀଙ୍କୁ ବାଣ୍ଟିଲେ ।୨୭।


ଚରୁକୁ ବାଣ୍ଟି ତିନି ରାଣୀ

ଭକ୍ଷଣ କଲେ ହର୍ଷେ ପୁଣି ।୨୮।


ତିନିହେଁ ହେଲେ ଗର୍ଭବତୀ 

ସେଗର୍ଭେ ବଢନ୍ତି ଶ୍ରୀପତି ।୨୯।


ପବିତ୍ର ତିଥି ଯୋଗ ବାର 

ଲଗ୍ନର ସହିତେ ମାସର । ୩୦।


ଚଇତ୍ର ମାସର ନବମୀ

ଅଭିଜିତ ନକ୍ଷତ୍ର ପୁଣି । ୩୧।


ଦିବସ ଦ୍ୱିପ୍ରହର ବେଳ 

ମାହେନ୍ଦ୍ର ଅତି ଶୁଭ ବେଳ । ୩୨।


ଶୀତଳ ସୁଗନ୍ଧ ସମୀର 

ବହଇ ହୋଇ ଧୀର ଧୀର । ୩୩।


ଦେବତା ଆନନ୍ଦିତ ହେଲେ 

ସ୍ଵର୍ଗରୁ ପୁଷ୍ପ ବୃଷ୍ଟି କଲେ ।୩୪।


ଦୟାଳୁ କୃପାଳୁ ଶ୍ରୀହରି

ପ୍ରକଟ ହେଲେ ଦଇତାରୀ ।୩୫।


ସେ ହରି ଚରଣ ପଙ୍କଜେ 

ଅଧମ ଅନ୍ତର୍ଯ୍ୟାମୀ ଭଜେ ।୩୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational